କନକ ବ୍ୟୁରୋ : ରାଉରକେଲା ଉଦିତନଗର ଥାନାର ମହିଳା ଏଏସଆଇ ଏ.ଏନ.ଲୁଗୁନଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଏକ ଯାତ୍ରୀବାହୀ ବସ ଓ କାର ଦୁର୍ଘଟଣା ମାମଲାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଖବର ପାଇ ସମ୍ପୃକ୍ତ ଏଏସଆଇ ଘଟଣାସ୍ଥଳକୁ ଯାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁର ସଠିକ କାରଣ ସ୍ପଷ୍ଟ ହୋଇନି ।

Kanak News is now on WhatsApp
Join and get latest news updates delivered to you via WhatsApp
ରାଉରକେଲା ସରକାରୀ ଡାକ୍ତରଖାନାରେ ମୃତଦେହକୁ ରଖାଯାଇଛି । ପୁଲିସ ଘଟଣାର ଛାନଭିନ କରୁଛି । ସୂଚନା ମୁତବାକ ଗତକାଲି ସଂଧ୍ୟା ପ୍ରାୟ ସାଢ଼େ ୫ଟାରେ ଘରୋଇ ଯାତ୍ରୀବାହୀ ବସ୍ ‘ରାଜା ଗୋଲ୍ଡ’ କିଛି ଯାତ୍ରୀଙ୍କୁ ନେଇ ରାଜଗାଙ୍ଗପୁରରୁ ରାଉରକେଲା ଆସୁଥିଲା । ଏସ୍ଟିଆଇ ଛକଠାରୁ କିଛି ଦୂର ‘ଅଗ୍ରସେନ ଭବନ’ ନିକଟରେ ବସ୍ ଏକ କାର୍କୁ ଧକ୍କା ଦେଇଥିଲା । ଡ୍ରାଇଭର ଓ ପଛରେ ବସିଥିବା କିଛି ଯୁବକ କାର୍ରୁ ଓହ୍ଲାଇ ବସ୍ର ଡ୍ରାଇଭର ଓ କଣ୍ଡକ୍ଟରଙ୍କ ସହ ପାଟିତୁଣ୍ଡ କରିଥିଲେ । କ୍ଷତିପୂରଣ ଦେବାକୁ ଦାବି କରିଥିଲେ। ବସ୍ର କଣ୍ଡକ୍ଟର ଯାତ୍ରୀମାନଙ୍କୁ ବସ୍ଷ୍ଟାଣ୍ଡରେ ଛାଡି ଫେରିଲାବେଳେ କ୍ଷତିପୂରଣ ଦେବାକୁ କାର୍ର ଡ୍ରାଇଭରଙ୍କୁ କହିଥିଲେ । ସେଠାରୁ ବସ୍ ନେଇ ବାହାରି ଯାଇଥିଲେ । ଅଧଘଣ୍ଟା ପରେ ବସ୍ ରାଉରକେଲାରୁ ରାଜଗାଙ୍ଗପୁର ବାହାରିଥିଲା । ଆର୍ଏମ୍ସି ଅଫିସ୍ ନିକଟରେ କାର୍ର ଡ୍ରାଇଭର କିଛି ଯୁବକ ବସ୍କୁ ଅଟକାଇ ଭଙ୍ଗାରୁଜା କରିଥିଲେ ।
ଯାହାକୁ କେନ୍ଦ୍ରକରି ବସ୍ର ଡ୍ରାଇଭର, କଣ୍ଡକ୍ଟର ଓ ହେଲପରଙ୍କ ସହ କାର୍ ଡ୍ରାଇଭର ଓ ତାଙ୍କ ସହଯୋଗୀଙ୍କ ମାଡ଼ପିଟ୍ ହୋଇଥିଲା। ଖବର ପାଇ ପିସିଆର୍ ଭ୍ୟାନ୍ରେ ଉଦିତନଗର ଥାନାର ଏଏସ୍ଆଇ ଏଲିସା ଲୁଗୁନ ଓ କିଛି ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ମାଡ଼ପିଟ୍ ହେଉଥିବା ଦୁଇ ଗୋଷ୍ଠୀର ଲୋକଙ୍କୁ ବୁଝାସୁଝା କରୁଥିବାବେଳେ ଏଏସ୍ଆଇ ଲୁଗୁନ୍ ବେହୋସ ହୋଇ ପଡିଯାଇଥିଲେ। ଗୁରୁତର ଅବସ୍ଥାରେ ଅନ୍ୟ ପୁଲିସ କର୍ମଚାରୀ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଉଲ୍ଲେଖଯୋଗ୍ୟ, ଏ.ଏନ.ଲୁଗୁନ ମହିଳା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ । ସୁସ୍ମିତା ମିଞ୍ଜଙ୍କ କିଛି ଦିନ ତଳେ ମୃତ୍ୟୁ ହୋଇଥିଲା । ଏହି ମୃତ୍ୟୁ ଉପରୁ ପରଦା ହଟିନଥିବାବେଳେ ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ମହିଳା ଏଏସଆଇଙ୍କ ମୃତ୍ୟୁ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।