କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ସାଂଘାତିକ ହେଉଛି ମହାଯୁଦ୍ଧ । ପାଲେଷ୍ଟିନୀୟ ଆତଙ୍କୀ ସଂଗଠନ ହମାସ୍ ଉପରେ ପ୍ରତିଶୋଧ ନେବା ପାଇଁ ଇସ୍ରାଏଲ ନିଜ ସେନାକୁ ସମଗ୍ର ଗାଜା ପଟ୍ଟି କବ୍କା କରିବାକୁ ନିର୍ଦ୍ଦେଶ ଦେଇଛି । ସେନାକୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଯୁଦ୍ଧ ବିମାନ ଓ ଅନ୍ୟାନ୍ୟ ଯୋଗାଇ ଦିଆଯାଇଛି । ଇସ୍ରାଏଲ ଘନଘନ ମିସାଇଲ୍, ତୋପ ଓ ରକେଟ୍ ମାଡ଼ କରୁଛି ।

Advertisment

ଗାଜାରେ ଥିବା ଏକ ଶରଣାର୍ଥୀ ଶିବିର ଉପରେ ମଧ୍ୟ ମିସାଇଲ୍ ମାଡ ହୋଇଛି । ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଆଜିକୁ ୪ ଦିନରେ ପହଞ୍ଚିଛି । ଯୁଦ୍ଧରେ ୧୪ ଶହ ଉପରେ ଲୋକଙ୍କ ଜୀବନ ଗଲାଣି । ଇସ୍ରାଏଲ୍ରେ ମୃତ୍ୟୁ ସଂଖ୍ୟା ୮ ଶହରୁ ଅଧିକ ହୋଇଥିବା ବେଳେ ପାଲେଷ୍ଟାଇନ୍ରେ ପ୍ରାୟ ୬ ଶହ ଲୋକଙ୍କ ଜୀବନ ଯାଇଛି । ହମାସ୍ର ରକେଟ୍ ମାଡ ଯୋଗୁ ଇସ୍ରାଏଲରେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି ।

ଇସ୍ରାଏଲ ଅଧିକ ଆକ୍ରମଣ କଲେ ସମସ୍ତ ପଣବନ୍ଦୀଙ୍କୁ ହତ୍ୟା କରାଯିବ ବୋଲି ହମାସ୍ ଧମକ ଦେଇଛି । ଇସ୍ରାଏଲ ପକ୍ଷରୁ ଗାଜା ସୀମା ନିକଟରେ ୧ ଲକ୍ଷ ସୈନିକ ମୁତୟନ କରାଯାଇଛି । ଆହୁରି ୩ ଲକ୍ଷ ରିଜର୍ଭ ସୈନ୍ୟଙ୍କୁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ହମାସ୍ ବିରୋଧରେ ଲଢେଇ ପାଇଁ ଆମେରିକା ଇସ୍ରାଏଲକୁ ଯୁଦ୍ଧ ପୋତ ଓ ବୋମା ବର୍ଷଣକାରୀ ବିମାନ ଯୋଗାଇ ଦେଇଛି ।