କନକ ବ୍ୟୁରୋ : ପାଲେଷ୍ଟାଇନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଜାରି । ଗାଜାରେ ବିଦ୍ୟୁତ୍ ଯୋଗାଣ ପାଇଁ ରହିଥିବା ଏକମାତ୍ର ପାୱାର ପ୍ଲାଣ୍ଟ ବନ୍ଦ ହୋଇଯାଇଛି । ଫଳରେ ପୂରା ସହରକୁ ବିଦ୍ୟୁତ୍ ଯୋଗାଣ ଠପ୍ ହୋଇଯାଇଛି । ଗାଜାକୁ ଇସ୍ରାଏଲ ଖାଦ୍ୟ ଓ ଇନ୍ଧନ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବନ୍ଦ କରିବା ପରେ ଜଟିଳ ସ୍ଥିତି ଉପୁଜିଛି । ଗାଜାରେ ଇନ୍ଧନ ଅଭାବରୁ ପାୱାର ପ୍ଲାଣ୍ଟ ଠପ୍ ହୋଇଯିବା ନେଇ ବିଭିନ୍ନ ମାନବାଧିକାର ସଙ୍ଗଠନ ଉଦବେଗ ପ୍ରକାଶ କରିଛନ୍ତି ।

Advertisment

ଗାଜାରେ ଭୟଙ୍କର ମାନବୀୟ ସଙ୍କଟ ଦେଖାଦେଇଥିବାରୁ ତୁରନ୍ତ ସମାଧାନର ରାସ୍ତା ବାହାର କରିବାକୁ ଜାତିସଂଘ ଗୁରୁତ୍ୱାରୋପ କରିଛି । ଗାଜା ଷ୍ଟ୍ରିପ୍ରେ ଇସ୍ରାଏଲ ବୋମା ବର୍ଷା ପାଇଁ ୨ ଲକ୍ଷ ୬୦ ହଜାରରୁ ଅଧିକ ଲୋକ ସେମାନଙ୍କ ଘର ଛାଡିଛନ୍ତି । ଯୁଦ୍ଧ ତୀବ୍ର ହେଉଥିବାରୁ ଗାଜାରେ ୧୦୫୫ ଜଣଙ୍କ ମୃତ୍ୟୁ ହୋଇଛି । ଏହା ମଧ୍ୟରେ ୨୬୦ ଶିଶୁ ଓ ୨୩୦ ମହିଳା ରହିଛନ୍ତି । ଇସ୍ରାଏଲ ଯୁଦ୍ଧ ଜାହାଜ ଲଗାତର ଗାଜା ଷ୍ଟ୍ରିପ୍ ଉପରେ ଆକ୍ରମଣ ଜାରି ରଖିଥିବାରୁ ସେଠାରେ ରହୁଥିବା ଲୋକମାନେ ଘର ଛାଡି ଆଶ୍ରୟସ୍ଥଳକୁ ଚାଲି ଯାଉଛନ୍ତି ।