ଗଣଦୁଷ୍କର୍ମ ମାମଲାରେ ୟୁପି ପୂର୍ବ କ୍ୟାବିନେଟ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତିଙ୍କ ସହ ୩ଜଣଙ୍କୁ ଆଜୀବନ କାରାଦଣ୍ଡ, ଜାଣନ୍ତୁ କଣ ଥିଲା ପୁରା ମାମଲା

84

କନକ ବ୍ୟୁରୋ : ସମାଜବାଦୀ ପାର୍ଟି ସରକାରରେ ୟୁପିରେ କ୍ୟାବିନେଟ୍ ମନ୍ତ୍ରୀଥିବା ଗାୟତ୍ରୀ ପ୍ରସାଦ ପ୍ରଜାପତିଙ୍କ ବିରୋଧରେ ଚାଲିଥିବା ଗଣଦୁଷ୍କର୍ମ ମାମଲାର ଶୁଣାଣି କରି କୋର୍ଟ ପ୍ରଜାପତିଙ୍କ ସହ ଅନ୍ୟ ୩ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏମପି-ଏମଏଲଏ କୋର୍ଟର ସ୍ୱତନ୍ତ୍ର ଜଜ୍ ପବନ କୁମାର ତାଙ୍କ ରାୟରେ ଗାୟତ୍ରୀ ପ୍ରଜାପତିଙ୍କ ସମେତ ତିନି ଜଣ ଅଭିଯୁକ୍ତଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । ଏହାସହ ଅନ୍ୟ ୪ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

କୋର୍ଟ ଯେଉଁ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସେମାନଙ୍କ ମଧ୍ୟରେ ଗାୟତ୍ରୀ ପ୍ରସାଦ ପ୍ରଜାପତିଙ୍କ ବ୍ୟତୀତ ଆଶିଷ ଶୁକ୍ଳା ଓ ଅଶୋକ ତିୱାରୀ ବି ସାମିଲ ଅଛନ୍ତି । ମାମଲାର ଶୁଣାଣି ବେଳେ କୋର୍ଟରେ ପୀଡିତା ବାରମ୍ବାର ବୟାନ ବଦଳାଉଥିବାରୁ ପୀଡିତା ସମେତ ରାମସିଂ ରାଜପୁତ ଓ ଅଂଶୁ ଗୌଡଙ୍କ ବିରୋଧରେ ଯାଂଚ ପାଇଁ ପୋଲିସ ଆୟୁକ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

୨୦୧୭ ଫେବୃଆରୀ ୧୮ ତାରିଖରେ ସୁପ୍ରିମ କୋର୍ଟଙ୍କ ଅଦେଶରେ ଗାୟତ୍ରୀ ପ୍ରଜାପତି ଓ ଅନ୍ୟ ୬ ଜଣ ଅଭିଯୁକ୍ତଙ୍କ ବିରୋଧରେ ଗଣ ଦୁଷ୍କର୍ମ, ହତ୍ୟା ଧମକ ଓ ପୋକ୍ସୋ ଆଇନ ଆଧାରରେ ମକଦ୍ଦମା ରୁଜୁ ହୋଇଥିଲା । ପୀଡିତାଙ୍କ ଆବେଦନ ଆଧାରରେ ସୁପ୍ରିମ କୋର୍ଟ ଏହି ଆଦେଶ ଦେଇଥିଲେ । ପୀଡିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା କି ଗାୟତ୍ରୀ ପ୍ରଜାପତି ଓ ତାଙ୍କ ସାଥୀମାନେ ନାବାଳିକା ଝିଅ ସହିତ ଜବରଦସ୍ତ ଶାରିରୀକ ସଂପର୍କ ରଖୁଥିଲେ ।

ସମ୍ପୂର୍ଣ୍ଣ ସୂଚନା ମୁତାବକ ୨୦୧୩ ମସିହାରେ ପୀଡିତା ଚିତ୍ରକୂଟ ରାମଘାଟ ଠାରେ ଗଙ୍ଗା ଆରତୀ କାର୍ଯ୍ୟକ୍ରମରେ ସେତେବେଳର କ୍ୟାବିନେଟ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତିଙ୍କୁ ଭେଟିଥିଲେ । ୨୦୧୪ ରେ ଗାୟତ୍ରୀ ପ୍ରଥମଥର ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ । ଏହାପରେ ୨୦୧୬ ପର୍ଯ୍ୟନ୍ତ ଗାୟତ୍ରୀ ଓ ତାଙ୍କ ସହଯୋଗୀମାନେ ବାରମ୍ବାର ପୀଡିତାଙ୍କୁ ଗଣ ଦୁଷ୍କର୍ମ କରିଥିଲେ । ୨୦୧୭ ମସିହାରେ ପୀଡିତା ୟୁପି ଡିଜିପିଙ୍କ ଠାରେ ଅଭିଯୋଗ କରିଥିଲେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଏହାପରେ ମାମଲା ସୁପ୍ରିମ କୋର୍ଟକୁ ଯାଇଥିଲା ।