ଭାରତର ବିଫଳତା ନେଇ ଗାଭାସ୍କରଙ୍କ ବୟାନ୍ ! କହିଲେ, ଇଂଲଣ୍ଡକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ନଥିଲା ଭାରତ, କୋହଲିଙ୍କୁ ଆହୁରି ଶିଖିବାର ଅଛି ।

20

କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜରେ ଭାରତର ୧-୪ରେ ସିରିଜ ପରାଜୟ ପରେ ଅଧିନାୟକ ବିରାଟ କୋହଲିଙ୍କ ଉପରକୁ ଅଙ୍ଗୁଳି ଉଠାଇଛନ୍ତି କ୍ରିକେଟର ସୁନିଲ ଗାଭାସ୍କର । ଗାଭାସ୍କର କହିଛନ୍ତି ବିରାଟ କୋହଲିଙ୍କୁ ଆହୁରି ଶିଖିବାର ଅଛି । ଖାଲି ସେତିକି ନୁହେଁ, ଭାରତ ସିରିଜ ହାରିବାରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ କାହିଁକି ନାଁ ଇଂଲଣ୍ଡ ସହ ସିରିଜ ମୁକାବିଲା ପାଇଁ ଟିମ୍ ଇଣ୍ଡିଆ ପ୍ରସ୍ତୁତ ନଥିଲା । ଗାଭାସ୍କର କହିଛନ୍ତି ଯଦି ଆପଣ ପ୍ରସ୍ତୁତ ହେବାରେ ବିଫଳ ହୋଇଛନ୍ତି ତେବେ ବିଫଳତାକୁ ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିବା ଦରକାର ।

ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ପାଇଁ ପ୍ରସ୍ତୁତି ବନେଇବା ନିହାତି ଦରକାର । ତେଣୁ ଇଂଲଣ୍ଡ ସହ ପରାଜୟରେ ବିଶେଷ ଭାବରେ ଆଶ୍ଚର୍ଯ୍ୟ ନହୋଇ ଅଷ୍ଟ୍ରେଲିଆ ବିପକ୍ଷରେ କିପରି ସଫଳ ପ୍ରଦର୍ଶନ କରିହେବ ସେ ଦିଗରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ଗାଭାସ୍କର କହିଛନ୍ତି । ତେବେ ଗାଭାସ୍କରଙ୍କର ଏଭଳି ପ୍ରତିକ୍ରିୟା ପରେ ଚର୍ଚ୍ଚା ଜୋର ଧରିଛି । ଇଂଲଣ୍ଡ ଠାରୁ ବିରାଟ ବାହିନୀ ୧-୪ ରେ ସିରିଜ ହାରିବା ପରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ କିଭଳି ପ୍ରସ୍ତୁତି କରିବ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି । ବିଶେଷ କରି ଦଳରେ ପରିବର୍ତ୍ତନର ଆବଶ୍ୟକତା ରହିଥିବା ସାଧାରଣରେ ମତ ପ୍ରକାଶ ପାଇଛି ।