କନକ ବ୍ୟୁରୋ: ସୁନୀଲ ଗାଭାସ୍କାର... ବିଶ୍ୱ କ୍ରିକେଟର ଏମିତି ଏକ ନାଁ ଯାହାଙ୍କୁ ପରିଚୟର କୌଣସି ଆବଶ୍ୟକତା ନାହିଁ । ଯେଉଁ ସମୟରେ କ୍ରିକେଟ ଜଗତରେ ୱେଷ୍ଟଇଣ୍ଡିଜ ରାଜ୍ କରୁଥିଲା, ସେହି ସମୟରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ପେସ ବୋଲରଙ୍କୁ ସାମ୍ନା କରିବା ଶିଖାଇଥିଲେ ଗାଭାସ୍କର । ଟିମ ଇଣ୍ଡିଆ ପାଇଁ ସେ ହେଉଛନ୍ତି ଲିଟିଲ ମାଷ୍ଟର । ଯେବେ ଯେବେ ଟିମ ଇଣ୍ଡିଆ ଉପରେ ବିପଦ ଆସିଛି ସେ ସେବେ ସଙ୍କଟ ମୋଚକ ହୋଇ ଛିଡା ହୋଇଛନ୍ତି । ଆଜି ହେଉଛି ଏହି ଶ୍ରେଷ୍ଠ ଭାରତୀୟ କ୍ରିକେଟରଙ୍କ ଜନ୍ମଦିନ । ଆଜିର ଦିନରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ସୁନୀଲ ଗାଭାସ୍କର । ତେବେ ଆଜିର ଦିନରେ ଆସନ୍ତୁ ଜାଣିବା ଗାଭାସ୍କରଙ୍କ ଲଭ ଷ୍ଟୋରୀ ବିଷୟରେ...

Advertisment

ଗାଭାସ୍କରଙ୍କ ଲଭ ଷ୍ଟୋରୀ କେଉଁ ଫିଲ୍ମର କାହାଣୀଠାରୁ ବି କମ ନୁହେଁ । ୧୯୭୩ ମସିହାରେ ଗାଭାସ୍କର ମାର୍ଶଲିନଙ୍କୁ ପ୍ରଥମେ ଭେଟିଥିଲେ । ସେତେବେଳେ ମାର୍ଶଲିନ ଦିଲ୍ଲୀର ଶ୍ରୀରାମ କଲେଜରେ ବିଏରେ ପାଠ ପଢୁଥିଲେ । ମାର୍ଶଲିନ ଏକ ମ୍ୟାଚ ଦେଖିବାକୁ ଷ୍ଟାଡିୟମ ଆସିଥାନ୍ତି । ମ୍ୟାଚରେ ଲଞ୍ଚ ବ୍ରେକ ସମୟରେ ଗାଭାସ୍କର ଷ୍ଟୁଡେଣ୍ଟ ଗ୍ୟାଲେରୀରେ ଛିଡା ହୋଇଥିଲେ । ଆଉ ତାଙ୍କୁ ଦେଖି ମାର୍ଶଲିନ ଅଟୋ ଗ୍ରାଫ ନେବାକୁ ପହଞ୍ଚିଥିଲେ । ଆଉ ଅଟୋଗ୍ରାଫ ଦେଉଦେଉ ମାର୍ଶଲିନଙ୍କ ପ୍ରେମରେ ପଡିଯାଇଥିଲେ ଗାଭାସ୍କର । ହେଲେ ମାର୍ଶଲିନ ଏସବୁରୁ ଅଜଣା ଥିଲେ ।

ପରେ ସୁନୀଲ ଗାଭାସ୍କର ମାର୍ଶଲିନ ବିଷୟରେ ପତା ଲଗାଇଥିଲେ । ରିପୋର୍ଟ ଅନୁସାରେ ମାର୍ଶଲିନଙ୍କୁ ଖୋଜି ଖୋଜି ନାଗପୁର ଯାଏଁ ଚାଲିଯାଇଥିଲେ ଗାଭାସ୍କର । ଆଉ ତାଙ୍କ ଘରର ଚକ୍କର ବି ଲଗାଇଥିଲେ । ସବୁଠୁ ରୋଚକ କଥା ହେଉଛି ଗାଭାସ୍କର ମାର୍ଶଲିନଙ୍କୁ ତାଙ୍କ ପରିବାର ସାମ୍ନାରେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । କାନପୁରରେ ହେବାକୁ ଥିବା ଏକ ଟେଷ୍ଟ ମ୍ୟାଚ ପାଇଁ ଗାଭାସ୍କର ମାର୍ଶଲିନ ମଲହୋତ୍ରାଙ୍କ ପରିବାର ଲୋକଙ୍କୁ ଡାକିଥିଲେ । ଆଉ ସମସ୍ତେ ସେହି ମ୍ୟାଚ ଦେଖିବାକୁ ବି ଆସିଥିଲେ । ମ୍ୟାଚ ଶେଷ ହେବା ପରେ ତାଙ୍କ ପରିବାର ସାମ୍ନାରେ ମାର୍ଶିଲିନଙ୍କୁ ହାତ ମାଗିଥିଲେ ଗାଭାସ୍କର । ଏଥିରେ ମାର୍ଶିଲିନଙ୍କ ପରିବାର ବି ରାଜି ହୋଇଯାଇଥିଲେ । ଫଳରେ ୨୩ ସେପ୍ଟେମ୍ବର ୧୯୭୪ ମସିହାରେ ଉଭୟଙ୍କ ବିବାହ ହୋଇଥିଲା ।

ସେବେଠାରୁ ଏବେ ଯାଏଁ ୪୮ ବର୍ଷ ହେବ ଗାଭାସ୍କର ଓ ମାର୍ଶଲିନ ବୈବାହିକ ଜୀବନ ହସଖୁସିରେ ଚାଲିଛି । ଗାଭାସ୍କର ଓ ମାର୍ଶଲିନଙ୍କ ଏକ ପୁଅ ବି ଅଛି ଯାହାଙ୍କ ନାଁ ରୋହନ ଗାଭାସ୍କର । ରୋହନ ମଧ୍ୟ ଟିମ ଇଣ୍ଡିଆ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଛନ୍ତି ହେଲେ ବାପାଙ୍କ ଭଳି ଏତେ ଟା ସଫଳ ହୋଇ ପାରିନାହାନ୍ତି ।

ସୁନୀଲ ଗାଭାସ୍କର ଟିମ ଇଣ୍ଡିଆ ପାଇଁ ୧୨୫ ଟେଷ୍ଟ ମ୍ୟାଚ ଖେଳି ୧୦, ୧୨୨ ରନ କରିଛନ୍ତି । ଯେଉଁଥିରେ ୩୪ ଶତକ ଓ ୪୫ ଅର୍ଦ୍ଧଶତକ ରହିଛି । ସେହିପରି ୧୦୮ ଦିନିକିଆ ମ୍ୟାଚ ଖେଳି ୩, ୯୨ ରନ କରିଛନ୍ତି । ଯେଉଁଥିରେ ଗୋଟିଏ ଶତକ ଓ ୨୭ ଅର୍ଦ୍ଧଶତକ ରହିଛି । ସବୁଠାରୁ ବଡ କଥା ହେଉଛି ସୁନୀଲ ଗାଭାସ୍କର ୧୯୮୩ ମସିହା ବିଶ୍ୱକପ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ । ସେ ସେହି ସମୟରେ ଟିମ ଇଣ୍ଡିଆର ପ୍ରମୁଖ ବ୍ୟାଟ୍ସମ୍ୟାନ ଥିଲେ । ଭାରତକୁ ଚାମ୍ପିୟନ କରାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା ।