କନକ ବ୍ୟୁରୋ : ନିଜର ଘାତକ ବୋଲିଂ ଜରିଆରେ ଇଂଲଣ୍ଡକୁ ଧରାଶାୟୀ କରିଛନ୍ତି ମହମ୍ମଦ ସାମି । କେବଳ ଏତିକି ନୁହେଁ ଭାରତକୁ ବିଶ୍ୱକପରେ ଲଗାତାର ୬ଷ୍ଠ ବିଜୟ ଭେଟି ଦେବା ପଛର ନାୟକ ସାଜିଛନ୍ତି ଦ୍ରୁତ ବୋଲର ମହମ୍ମଦ ସାମି । ଇଂଲଣ୍ଡ ବିପକ୍ଷ ମ୍ୟାଚରେ ୪ ୱିକେଟ ଅକ୍ତିଆର କରି ସାମି ଆଗାମୀ ମ୍ୟାଚରେ ଚୂଡାନ୍ତ ଏକାଦଶରେ ନିଜର ସ୍ଥାନ ଏକପ୍ରକାର ପକ୍କା କରିଛନ୍ତି । ଅଥାର୍ତ ଆଗାମୀ ମ୍ୟାଚ୍ ଗୁଡିକରେ ସାମିଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍ ଦେଲେ ଏହାକୁ ନେଇ ପ୍ରଶ୍ନ ଉଠିପାରେ । ଚଳିତ ବିଶ୍ୱକପରେ ମାତ୍ର ୨ଟି ମ୍ୟାଚରୁ ସାମି ୯ଟି ୱିକେଟ ହାସଲ କରି ସମସ୍ତଙ୍କୁ ଚମକାଇ ଦେବା ସହ ଭାରତୀୟ ବୋଲିଂ ବାହିନୀକୁ ଆହୁରି ଶକ୍ତିଶାଳୀ କରିଛନ୍ତି । ସାମିଙ୍କର ଏଭଳି ଘାତକ ପ୍ରଦର୍ଶନକୁ ନେଇ ପ୍ରଂଶସାରେ ପୋତି ପକାଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ।

Advertisment

ସୁନୀଲ ଗାଭାସ୍କର କହିଛନ୍ତି, ସାମିଙ୍କ ଏଭଳି ପ୍ରଦର୍ଶନ ପଛରେ କଠିନ ପରିଶ୍ରମ ରହିଛି । ଯେତେବେଳେ ସାମି ଘରେ ଥାଆନ୍ତି ସେତେବେଳେ ଭିନ୍ନ ଭିନ୍ନ ପିଚରେ ଅଭ୍ୟାସ କରିଥାନ୍ତି । ଯାହା ଜଣେ କ୍ରିକେଟରଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ସାମି ଫାଙ୍କା ସମୟରେ ନିଜର ଫିଟନେସ ଉପରେ ଅଧିକ ଫୋକସ କରିଥାନ୍ତି । ଏହାସହ ସୁନୀଲ କହିଛନ୍ତି, ସାମି କେବେ ବାୟୋ ମେଟ୍ରିକ୍ସ ବିଶେଷଜ୍ଞଙ୍କ କଥା ଶୁଣନ୍ତିନି । ଯିଏ କୁହନ୍ତି ନେଟରେ ବେଶି ନୁହେଁ ୧୫ରୁ ୨୦ ବଲ ପକାଇବା ଉଚିତ୍ । ନେଟରେ ଘଣ୍ଟା ଘଣ୍ଟା ଧରି ବିତାଇଥାନ୍ତି ସାମି । ଯାହାର ପରିଣାମ ହେଉଛି ତାଙ୍କର ପ୍ରଦର୍ଶନ । ଯେତେବେଳେ ସାମି ବୋଲିଂ ପାଇଁ ଦୌଡିଥାନ୍ତି ଏବଂ ଡ୍ରୋନ କ୍ୟାମେରା ତାଙ୍କର ରନଅପକୁ ରେକର୍ଡ କରୁଥାଏ । ସେତେବେଳେ ଲାଗେ ଯେମିତି କୌଣସି ଚିତା ବାଘ ଶିକାର କରିବାକୁ ଦୌଡୁଛି । ଏହି ଦୃଶ୍ୟ ଦେଖିବାକୁ ବେଶ ଭଲ ଲାଗେ ।

ସୁନୀଲ କହିଛନ୍ତି, ସାମି ଅଧିକ ଜିମ୍ ଯାଆନ୍ତି ନାହିଁ ତାହା ଜାଣିନି । କିନ୍ତୁ କପିଲ ଦେବଙ୍କ ଭଳି ସାମି ନେଟରେ ଅଧିକ ସମୟ ଅଭ୍ୟାସ କରିଥାନ୍ତି । ନେଟରେ ଘଣ୍ଟା ଘଣ୍ଟା ବୋଲିଂ କରିବା ଦ୍ୱାରା ତାଙ୍କର ବୋଲିଂ ଅଧିକ ପ୍ରଭାବୀ ହେବା ସହ ବ୍ୟାଟରଙ୍କୁ ଅଡୁଆରେ ପକାଉଛି । ଚଳିତ ବିଶ୍ୱକପ୍ ଆରମ୍ଭରୁ ସାମିଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳୁନଥିଲା । କାରଣ ଦଳରେ ବୁମରା ଓ ସିରାଜଙ୍କ ଭଳି ଦ୍ରୁତ ବୋଲର ରହିଥିଲେ । ଏହାବାଦ୍ ୨ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଶାର୍ଦ୍ଦୁଳ ଠାକୁରଙ୍କୁ ନେଇ ଦଳ ମୈଦାନକୁ ଓହ୍ଲାଉଥିଲା । ଯାହାଦ୍ୱାରା ଦଳର ବ୍ୟାଟିଂ ଲାଇନ୍ ଅପ ଆହୁରି ଶକ୍ତିଶାଳୀ ହୋଇପାରିବ । ପ୍ରଥମ ୪ଟି ମ୍ୟାଚ୍ ବେଞ୍ଚରେ ବସିବା ପରେ ସାମିଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଲା ଯେତେବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେଲେ । ସେହିଭଳି ଶାର୍ଦ୍ଦୁଳ ଠାକୁରଙ୍କ ପ୍ରଦର୍ଶନ ଏତେଟା ପ୍ରଭାବୀ ନ ରହିବାରୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ସାମିଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇଥିଲା । ପ୍ରଥମ ମ୍ୟାଚରେ ହିଁ ସାମି ନିଜର ପରାକ୍ରମ ଦେଖାଇଥିଲେ । ନ୍ୟୁଜିଲାଣ୍ଡର ୫ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇ ସମସ୍ତଙ୍କୁ ଚକିତ କରି ଦେଇଥିଲେ ସାମି । ପରେ ପୁଣିଥରେ ଇଂଲଣ୍ଡ ବିପକ୍ଷରେ ମଧ୍ୟ ସାମିଙ୍କ ଉପରେ ଭରସା କରିଥିଲେ ରୋହିତ । ଆଉ ଅଧିନାୟକଙ୍କ ଏହି ଭରସାକୁ ଭାଙ୍ଗିନଥିଲେ ସାମି । କମ ସ୍କୋର ହୋଇଥିଲେ ମଧ୍ୟ ଟିମ୍ ଇଣ୍ଡିଆ ପାଇଁ ସଙ୍କଟମୋଚକ ସାଜି ୪ଟି ୱିକେଟ ଅକ୍ତିଆର କରି ଇଂଲଣ୍ଡର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ସାମି । ଏଭଳି ପ୍ରଭାବୀ ପ୍ରଦର୍ଶନ ଆଗାମୀ ମ୍ୟାଚ ଗୁଡିକରେ ସାମିଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିବାକୁ ବାଟ ଖୋଲି ଦେଇଛି ।