କନକ ବ୍ୟୁରୋ : ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ କେମିତି ସମ୍ପର୍କ ତାହା କାହାକୁ ଅଛପା ନୁହେଁ । ଆଇପିଏଲରେ ଉଭୟଙ୍କ ମଧ୍ୟରେ ହୋଇଥିବା ଯୁକ୍ତିତର୍କକୁ ଏବେ ବି ଭୁଲିନଥିବେ କ୍ରିକେଟପ୍ରେମୀ । ଉଭୟ ପରସ୍ପରକୁ ନେଇ ଅନେକ ସମୟରେ ବୟାନବାଜି କରୁଥିବାର ଦେଖିବାକୁ ମିଳେ । କିନ୍ତୁ ବିଶ୍ୱକପରେ ଅଷ୍ଟ୍ରେଲିଆ ବିପକ୍ଷରେ ଅର୍ଦ୍ଧଶତକୀୟ ଇନିଂସ ଖେଳିବା ପରେ କୋହଲିଙ୍କୁ ପ୍ରଂଶସାରେ ପୋତି ପକାଇଛନ୍ତି ଗୌତମ ଗମ୍ଭୀର । ମ୍ୟାଚ୍ ପରେ ଗୌତମ କହିଛନ୍ତି, ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଭାରତ ଉପରେ ଥିବା ଚାପକୁ ଅତି ସହଜରେ ନିୟନ୍ତ୍ରଣ କରିପାରିଥିଲେ କୋହଲି ଏବଂ ରାହୁଲ । ଯୁବ ଖେଳାଳୀ ବିରାଟଙ୍କ ଠାରୁ ତାଙ୍କର ଫିଟନେସ୍, ରନ୍ ସଂଗ୍ରହ କରିବାର କୌଶଳ, ଷ୍ଟ୍ରାଇକ ରୋଟେଟ ଏବଂ ବୋଲରଙ୍କ ଉପରେ ଚାପ ପକାଇବାର ତରିକା ଶିଖିବା ଉଚିତ୍ । ଏହାସହ କଠିନ ସ୍ଥିତିରେ କିଭଳି ପରିସ୍ଥିତିର ମୁକାବିଲା କରାଯାଇପାରିବ ତାହା କୋହଲିଙ୍କ ଠାରୁ ଶିଖନ୍ତୁ ଯୁବ ଖେଳାଳୀ ।

Advertisment

ଗମ୍ଭୀର କହିଛନ୍ତି, ବିରାଟ କୋହଲି ଲୋ ରିସ୍କ କ୍ରିକେଟ ଖେଳନ୍ତି । କମ ଡଟ୍ ବଲ ଖେଳିବା ସହ ନିୟମିତ ଷ୍ଟ୍ରାଇକ ରୋଟେଟ କରିଥାନ୍ତି । ଯୁବ ଖେଳାଳୀ କୋହଲିଙ୍କ ଠାରୁ ଏହା ଶିଖିବା ଆବଶ୍ୟକ । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଭାରତୀୟ ଟିମ୍ ଚାପରେ ଥିବା ବେଳେ ଧୈର୍ଯ୍ୟପୂର୍ଣ୍ଣ ଇନିଂସ ଖେଳିଛନ୍ତି କୋହଲି । ଯେତେବେଳେ କୋହଲି ୭୦ ରନରେ ବ୍ୟାଟିଂ କରୁଥିଲେ ସେତେବେଳେ ତାଙ୍କ ବ୍ୟାଟରୁ ମାତ୍ର ୫ଟି ଚୌକା ଆସିଥିଲା । ବଡ ସଟ୍ ନ ଖେଳି କେବଳ ଷ୍ଟ୍ରାଇକ ରୋଟେଟ କରି ଅଷ୍ଟ୍ରେଲିଆ ବୋଲରଙ୍କ ଉପରେ ଚାପ ପକାଇବାରେ କୋହଲି ସଫଳ ହୋଇଥିଲେ । ଯେତେବେଳେ ଆପଣ କୌଣସି ଟାର୍ଗେଟର ପିଛା କରୁଥାନ୍ତି ସେତେବେଳେ କୌଣସି ବି ପରିସ୍ଥିତିର ସାମ୍ନା କରିବାକୁ ମନରେ ଆତ୍ମ ବିଶ୍ୱାସ ରହିବା ଦରକାର ବୋଲି ଗମ୍ଭୀର କହିଛନ୍ତି । ଏହାସହ ଗମ୍ଭୀର କହିଛନ୍ତି କୋହଲିଙ୍କ ଉପଯୋଗୀ ୮୫ ରନ୍ କୌଣସି ଶତକ ଠାରୁ ମଧ୍ୟ କମ ନୁହେଁ ।

ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଭାରତ ମାତ୍ର ୨ ରନରେ ୩ଟି ୱିକେଟ ହରାଇ ସଙ୍କଟରେ ପଡିଥିଲା । ଦଳର ୩ ଟପ୍ ଅର୍ଡର ବ୍ୟାଟର ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିବା ପରେ ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ କୋହଲି ଓ ରାହୁଲ । ଉଭୟଙ୍କ ଧୈର୍ଯ୍ୟପୂର୍ଣ୍ଣ ଇନିଂସ ଭାରତର ବିଜୟକୁ ପକ୍କା କରିଥିଲା । ଉଭୟ କୋହଲି ଓ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ସହଜସାଧ୍ୟ ବିଜୟ ହାସଲ କରିବା ସହ ନିଜର ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ।

ଅଷ୍ଟ୍ରେଲିଆ ବିପକ୍ଷରେ କୋହଲି ୮୫ ରନର ମ୍ୟାଚ ବିଜୟୀ ଇନିଂସ ଖେଳିବା ସହ ସଚିନଙ୍କର ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ଆଇସିସିର ଲିମିଟେଡ ଓଭର ଟୁର୍ଣ୍ଣାମେଣ୍ଟରେ କୋହଲି ୨୭୮୫ ରନ କରି ଏହି ରେକର୍ଡ ଭାଙ୍ଗିଛନ୍ତି । ତେନ୍ଦୁଲକର ଆଇସିସିର ଲିମିଟେଡ ଓଭର ଟୁର୍ଣ୍ଣାମେଣ୍ଟରେ ୬୧ଟି ମ୍ୟାଚରୁ ୨୭୧୯ ରନ କରିଛନ୍ତି । ସେହିଭଳି ଓପନର ଭାବେ ନ ଖେଳି କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ୧୧୩ ଅର୍ଦ୍ଧଶତକ ସହ କୁମାର ସାଙ୍ଗାକାରାଙ୍କୁ ଟପିଛନ୍ତି ।