କନକ ବ୍ୟୁରୋ : ୨୦୨୩ ବିଶ୍ୱକପରେ ଭାରତର ବୋଲିଂ ବାହିନୀ ଦମଦାର ପ୍ରଦର୍ଶନ ଜାରି ରଖିଛି । ବ୍ୟାଟରଙ୍କ ଧୂଆଁଧାର ବ୍ୟାଟିଂ ବଳରେ ସ୍କୋରବୋର୍ଡରେ ବଡସ୍କୋର ଦେଖିବାକୁ ମିଳୁଥିବା ବେଳେ ବୋଲରଙ୍କ ଘାତକ ବୋଲିଂ ବଳରେ ବଡ ବ୍ୟବଧାନରେ ବିଜୟ ହାସଲ କରୁଛି ଟିମ୍ ଇଣ୍ଡିଆ । ଖାସକରି ଭାରତର ପେସ୍ ବାହିନୀ ଅନ୍ୟ ଦଳ ପାଇଁ ଏବେ ଚିନ୍ତାର କାରଣ ପାଲଟିଛନ୍ତି । ଯଶପ୍ରୀତ ବୁମରା, ମହମ୍ମଦ ସାମି ଓ ମହମ୍ମଦ ସିରାଜ, ଏବେ ବିଶ୍ୱର ଅନ୍ୟ ଦଳର ବ୍ୟାଟରଙ୍କ ମନରେ ଭୟ ସୃଷ୍ଟି କରୁଥିବା ୩ ନାଁ ପାଲଟି ସାରିଛନ୍ତି । ବିଶ୍ୱକପରେ ମଧ୍ୟ ଏହି ୩ ବୋଲରଙ୍କ ପ୍ରଦର୍ଶନ ମଧ୍ୟ କିଛି ସେମିତି ରହିଛି । ତେବେ ଭାରତର ପେସ୍ ବାହିନୀକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ବଡ ବୟାନ ଦେଇଛନ୍ତି ।

Advertisment

ଗମ୍ଭୀର କହିଛନ୍ତି, ଯଶପ୍ରୀତ ବୁମରା ଟିମ୍ ଇଣ୍ଡିଆ ପାଇଁ ଏକ୍ସ ଫ୍ୟାକ୍ଟର କିନ୍ତୁ ବିଶ୍ୱକପରେ ବୁମରାଙ୍କ ଠାରୁ ଅଧିକ ୱିକେଟ ହାସଲ କରିବେ ମହମ୍ମଦ ସାମି । ଆଉ ଏଭଳି ଆକଳନ ପଛର କାରଣ ମଧ୍ୟ କହିଛନ୍ତି ଗୌତମ ଗମ୍ଭୀର । ଯଶପ୍ରୀତ ଟିମ୍ ଇଣ୍ଡିଆର ଶ୍ରେଷ୍ଠ ବୋଲର । କିନ୍ତୁ ଅଧିକାଂଶ ସମୟରେ ଦଳର ଶ୍ରେଷ୍ଠ ବୋଲର ଅଧିକ ୱିକେଟ ହାସଲ କରିପାରନ୍ତିନି । କାରଣ ବୁମରାଙ୍କ ଭଳି ବୋଲରଙ୍କୁ ସର୍ତକତାର ଖେଳିବାକୁ ଚାହାନ୍ତି ପ୍ରତିଦ୍ୱନ୍ଦ୍ୱୀ । ଯଶପ୍ରୀତ ବୁମରାଙ୍କ ବୋଲିଂର ପ୍ରଥମ କିଛି ଓଭରରେ ସେଭଳି ଦେଖିବାକୁ ମିଳେ । ବୁମରାଙ୍କୁ ସର୍ତକତାର ସହ ବ୍ୟାଟିଂ କରୁଥିବା ବ୍ୟାଟର ଚାପ ହ୍ରାସ ପାଇଁ ସାମିଙ୍କୁ ପ୍ରହାର କରିବାକୁ ଚାହାନ୍ତି । ଯାହାର ଫାଇଦା ସାମିଙ୍କୁ ମିଳେ । ସାମିଙ୍କୁ ବିପକ୍ଷରେ ବଡ ସଟ୍ ଖେଳିବାକୁ ଯାଇ ନିଜ ୱିକେଟ ହରାଇଥାନ୍ତି ବ୍ୟାଟର । ଯାହା ଟିମ୍ ଇଣ୍ଡିଆ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ବୁମରାଙ୍କ ପାଇଁ ଭାରତର ବୋଲିଂ ବାହିନୀ ବେଶ ଶକ୍ତିଶାଳୀ କିନ୍ତୁ ୱିକେଟଟେକର ବୋଲର ଭାବେ ସାମ୍ନାକୁ ଆସିଛନ୍ତି ସାମି ।

ଚଳିତ ବିଶ୍ୱକପରେ ବୁମରାଙ୍କ ଠାରୁ ଗୋଟିଏ ଅଧିକ ୱିକେଟ ହାସଲ କରିଛନ୍ତି ସାମି । ଏବେସୁଦ୍ଧା ବୁମରା ୧୫ଟି ୱିକେଟ ହାତେଇଥିବା ବେଳେ ସାମି ୧୬ଟି ୱିକେଟ ନିଜ ନାଁରେ କରିଛନ୍ତି । କିନ୍ତୁ ବୁମରାଙ୍କ ଠାରୁ ସାମି ୪ଟି ମ୍ୟାଚ୍ କମ ଖେଳି ଏହି ସଫଳତା ହାସଲ କରିଛନ୍ତି । ଅଥାର୍ତ ସାମି ମାତ୍ର ୪ଟି ମ୍ୟାଚରୁ ୧୬ଟି ୱିକେଟ ହାତେଇବାରେ ସଫଳ ହୋଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବା ସାମିଙ୍କ ପାଇଁ ଚୂଡାନ୍ତ ଏକାଦଶକୁ ଫେରିବାକୁ ବାଟ ଖୋଲିଥିଲା । ପ୍ରଥମ ୪ଟି ମ୍ୟାଚ୍ ଖେଳିନଥିବ ସାମି ପରବର୍ତ୍ତୀ ୪ଟି ମ୍ୟାଚରେ ଘାତକ ବୋଲିଂ ଜରିଆରେ ଟିମ୍ ଇଣ୍ଡିଆ ପାଇଁ ସର୍ବାଧିକ ୧୬ଟି ୱିକେଟ ହାସଲ କରିଛନ୍ତି । ସେହିଭଳି ଚଳିତ ବିଶ୍ୱକପରେ ମହମ୍ମଦ ସିରାଜ ମଧ୍ୟ ୮ଟି ମ୍ୟାଚରୁ ୧୦ଟି ୱିକେଟ ହାସଲ କରିଛନ୍ତି । ୮ଟିରୁ ୮ଟି ମ୍ୟାଚରେ ବିଜୟୀ ହୋଇଥିବା ଭାରତ ଶେଷ ଲିଗ୍ ମ୍ୟାଚରେ ନେଦରଲାଣ୍ଡସକୁ ଭେଟିବ । ତେଣୁ ଏହି ମ୍ୟାଚରେ ବିଜୟୀ ହୋଇ ଲିଗ୍ ପର୍ଯ୍ୟାୟରେ ଅପରାଜେୟ ରହିବାକୁ ଚାହିଁବ ରୋହିତ ବାହିନୀ ।