କନକ ବ୍ୟୁରୋ :  ଚଳିତ ଆଇପିଏଲ ମହାନିଲାମୀରେ ନୂଆ କରି ସାମିଲ ହୋଇଥିବା ଲକ୍ଷ୍ନୌ ସୁପର ଜାଏଣ୍ଟସ  ଅନେକ ବଡ ଚେହେରାଙ୍କୁ ଦଳରେ ସାମିଲ କରିଛି । ଆଉ ଏହା ଭିତରେ ଦୁଇ ବିରୋଧୀଙ୍କୁ ମଧ୍ୟ ଦଳରେ ସାମିଲ କରିଛି ଲକ୍ଷ୍ନୌ । ଯେଉଁ ୨ ଖେଳାଳୀଙ୍କ ମଧ୍ୟରେ ପୂର୍ବରୁ ବିବାଦ ଦେଖିବାକୁ ମିଳିଥିବା ବେଳେ ଏବେ ସାଥୀ ହୋଇ ଗୋଟିଏ ଟିମ୍ ପକ୍ଷରୁ ଖେଳିବେ । ଆଉ ଏହି ଦୁଇଜଣ ଖେଳାଳୀ ହେଉଛନ୍ତି ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ କୁର୍ଣ୍ଣାଲ ପାଣ୍ଡ୍ୟା । ଚଳିତ ଆଇପିଏଲରେ ଉଭୟଙ୍କୁ ଲକ୍ଷ୍ନୌ ଟିମ୍ ପକ୍ଷରୁ ଖେଳୁଥିବାର ଦେଖିବାକୁ ମିଳିବ । ତେବେ ଉଭୟଙ୍କ ମଧ୍ୟରେ ବରୋଦା ଟିମରୁ ଖେଳୁଥିବା ବେଳେ ବିବାଦ ଆରମ୍ଭ ହୋଇଥିଲା । ପରେ ଏହା ଏତେ ଉଗ୍ର ରୂପ ଧାରଣ କରିଥିଲା ଯେ, କୃର୍ଣ୍ଣାଲଙ୍କୁ ଅଧିନାୟକ ପଦ ଛାଡିବାକୁ ପଡିଥିଲା ଓ ଦୀପକଙ୍କୁ ଦଳ ଛାଡିବାକୁ ପଡିଥିଲା ।

Advertisment

ଗତବର୍ଷ ସୟଦ ମୁସ୍ତାକ ଅଲ୍ଲୀ ଟୁର୍ଣ୍ଣାମେଣ୍ଟ  ସମୟରେ ଉଭୟ କୁର୍ଣ୍ଣାଲ ଓ ଦୀପକଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । କୃର୍ଣ୍ଣାଲ ପାଣ୍ଡ୍ୟା ସବୁବେଳେ ଅପଶବ୍ଦ ଏବ ଧମକାଇବା ଭଳି ବ୍ୟବହାର କରୁଥିବା ନେଇ ଅଭିଯୋଗ କରିଥିଲେ ଦୀପକ  । ତେବେ ଏଭଳି ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଥିଲେ କୃର୍ଣ୍ଣାଲ । ପରେ ଦୀପକ ହୁଡା ବରୋଦା ଟିମ୍ ଛାଡି ରାଜସ୍ଥାନ ଟିମ୍ ପକ୍ଷରୁ ଖେଳିବା ଆରମ୍ଭ କରିଥିଲେ । ସେହିଭଳି ଏଭଳି ଅଭିଯୋଗ ଆସିବା ପରେ କୃର୍ଣ୍ଣାଲ ପାଣ୍ଡ୍ୟା ମଧ୍ୟ ବରୋଦାର ଅଧିନାୟକ ପଦ ଛାଡିଥିଲେ ।

 ତେବେ ଏଭଳି ବିବାଦକୁ ନେଇ ଲକ୍ଷ୍ନୌ ଟିମର  ମେଣ୍ଟର ଗୌତମ ଗମ୍ଭୀର କହିଛନ୍ତି, ଭଲ ପ୍ରଦର୍ଶନ ପାଇଁ ବନ୍ଧୁଙ୍କର ଆବଶ୍ୟକତା ନାହିଁ । କେବଳ ଜଣେ ପ୍ରଫେସନାଲ କ୍ରିକେଟର ହେବା ଆବଶ୍ୟକ । ମୁଁ ମଧ୍ୟ ଦୀର୍ଘ ବର୍ଷ ଧରି କ୍ରିକେଟ ଖେଳିଛି । ଯେତେଜଣଙ୍କ ସାଙ୍ଗରେ ଖେଳିଛି ସମସ୍ତେ ମୋର ବନ୍ଧୁ ନୁହଁନ୍ତି । କିନ୍ତୁ ଆମେ ଦଳଗତ ଭାବେ ଭଲ ପ୍ରଦର୍ଶନ କରିବାକୁ ସବୁବେଳେ ଚେଷ୍ଟା କରିଛୁ । ଯଦି ଆମେ ଭଲ ସମ୍ପର୍କ ଦେଖି ଖେଳାଳୀଙ୍କୁ  ଦଳରେ ସାମିଲ କରିବୁ, ତେବେ ସେମାନେ ଭଲ ପ୍ରଦର୍ଶନ କରିବ ମ୍ୟାଚ୍ ଜିତାଇବେ ତାହାର ଗ୍ୟାରେଣ୍ଟି ନାହିଁ । ଯଦି ଭଲ ପରିବେଶ ମିଳେ, ତେବେ ସବୁକିଛି ଠିକ୍ ଚାଲିଥାଏ । ଯେକୌଣସି ବିବାଦ ହେଉ ନା କାହିଁକି, ଆଲୋଚନା ମାଧ୍ୟମରେ ସବୁକିଛି ସମାଧାନ କରାଯାଇପାରିବ । ଚଳିତ ଆଇପିଏଲ ମହାନିଲାମୀରେ କୃର୍ଣ୍ଣାଲ ପାଣ୍ଡ୍ୟାଙ୍କୁ ଲକ୍ଷ୍ନୌ ୮.୨୫ କୋଟିରେ କିଣିଥିବା ବେଳେ ଦୀପକ ହୁଡାଙ୍କୁ ୫.୭୫ କୋଟି ଟଙ୍କାରେ କିଣିଥିଲା ଦଳ । ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଅର୍ନ୍ତଜାତୀୟ ପଦାର୍ପଣ କରିଥିଲେ ଦୀପକ ହୁଡା ।