କନକ ବ୍ୟୁରୋ : ଚଳିତ ବିଶ୍ୱକପରେ ରୋହିତ, କୋହଲି ଓ ସାମି ଦମଦାର ଫର୍ମରେ ରହିଛନ୍ତି । ଭାରତକୁ ଫାଇନାଲରେ ପହଞ୍ଚାଇବା ପଛରେ ଏହି ୩ କ୍ରିକେଟରଙ୍କ ବଡ ଅବଦାନ ରହିଛି । କିନ୍ତୁ ପୂର୍ବତନ ବିଶ୍ୱକପ୍ ବିଜେତା କ୍ରିକେଟର ଗୌତମ ଗମ୍ଭୀରଙ୍କ ନଜରରେ ରୋହିତ, କୋହଲି କି ସାମି ନୁହଁନ୍ତି ବରଂ ଭାରତ ପାଇଁ ବଡ ଗେମଚେଞ୍ଜର ହେଉଛନ୍ତି ୨୮ ବର୍ଷୀୟ ଷ୍ଟାର ବ୍ୟାଟର ଶ୍ରେୟସ ଆୟର । ଖାସକରି ମଧ୍ୟକ୍ରମ ବ୍ୟାଟର ଭାବେ ଶ୍ରେୟସ ଏବେ ଜବରଦସ୍ତ ଫର୍ମରେ ଥିବା ବେଳେ ବିଶ୍ୱକପରେ ପ୍ରଭାବୀ ପ୍ରଦର୍ଶନ କରିଚାଲିଛନ୍ତି ।

Advertisment

ଚଳିତ ବିଶ୍ୱକପରେ ଶ୍ରେୟସ ଏବେସୁଦ୍ଧା ୧୦ଟି ମ୍ୟାଚ୍ ଖେଳି ୫୨୬ ରନ୍ କରିଛନ୍ତି ଯେଉଁଥିରେ ୨ ଶତକ ଓ ୩ଟି ଅର୍ଦ୍ଧଶତକ ରହିଛି । ଚତୁର୍ଥ ଭାରତୀୟ ଭାବେ ବିଶ୍ୱକପର ନିର୍ଦ୍ଦିଷ୍ଟ ସଂସ୍କରଣରେ ୫୦୦ରୁ ଅଧିକ ସ୍କୋର କରିବା ତାଲିକାରେ ସାମିଲ ହୋଇଛନ୍ତି ଶ୍ରେୟସ । ବିଶ୍ୱକପ ପୂର୍ବରୁ ଆହତ ହୋଇ ୬ ମାସରୁ ଅଧିକ ସମୟ କ୍ରିକେଟ ପଡିଆରୁ ଦୂରେଇ ରହିଥିଲେ ଶ୍ରେୟସ । କିନ୍ତୁ ଏସିଆ କପରେ କମବ୍ୟାକ୍ କରି ଟିମ୍ ଇଣ୍ଡିଆରେ ନିଜର ସ୍ଥାନ ପକ୍କା କରିଥିଲେ ଶ୍ରେୟସ । ଏବେ ବିଶ୍ୱକପର ସେମିଫାଇନାଲ ଭଳି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ୭୦ ବଲରୁ ୧୦୦ ରନ୍ କରି ନିଜକୁ ପ୍ରମାଣିତ କରିଛନ୍ତି ଶ୍ରେୟସ । ବିଶ୍ୱକପର ଫାଇନାଲରେ ମଧ୍ୟ ମ୍ୟାକ୍ସୱେଲ ଓ ଜାମ୍ପାଙ୍କ ବିପକ୍ଷରେ ଭାରତର ସବୁଠୁ ବଡ ଅସ୍ତ୍ର ଭାବେ ଉଭା ହେବେ ଶ୍ରେୟସ ।

ଗୋଟିଏ ପଟେ ଶ୍ରେୟସଙ୍କୁ ପ୍ରଂଶସାରେ ପୋତି ପକାଇଥିବା ଗମ୍ଭୀର ଅନ୍ୟପଟରେ ଭାରତୀୟ ବୋଲରଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ଗମ୍ଭୀର କହିଛନ୍ତି, ବ୍ୟାଟର କେବଳ ବଡ ସ୍କୋର କରିଥାନ୍ତି ଏବଂ ଦଳକୁ ସୁବିଧାଜନକ ସ୍ଥିତିରେ ପହଞ୍ଚାଇଥାନ୍ତି । କିନ୍ତୁ ବୋଲର ଦଳକୁ ଚାମ୍ପିୟନ କରିଥାନ୍ତି । ତେଣୁ ବିଶ୍ୱକପ ବିଜୟ ପଛରେ ବୋଲରଙ୍କର ସବୁଠୁ ବଡ ଭୂମିକା ରହିବ । ମହମ୍ମଦ ସାମି ଚୂଡାନ୍ତ ଏକାଦଶରେ ସାମିଲ ହେବା ପରେ ଭାରତୀୟ ଦଳ ଆହୁରି ଶକ୍ତିଶାଳୀ ହୋଇଛି । ସାମିଙ୍କ ସମେତ ବୁମରା ଓ ସିରାଜ ଭାରତ ପାଇଁ କୌଣସି ମୁହୂର୍ତ୍ତରେ ମ୍ୟାଚର ମୋଡ ବଦଳାଇବାର ଦକ୍ଷତା ରଖିଛନ୍ତି ।

କେବଳ ଏତିକି ନୁହେଁ ଗମ୍ଭୀର କହିଛନ୍ତି, ଅହମ୍ମଦାବାଦରେ ହେବାକୁ ଥିବା ଫାଇନାଲ ମୁକାବିଲା ଟିମର ପ୍ରତିଟି ସଦସ୍ୟଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ନିଜ ଦେଶରେ ବିଶ୍ୱକପ ଫାଇନାଲ ଖେଳିବାର ସୁଯୋଗ ବହୁତ କମ ମିଳେ । ଜୀବନରେ ଦ୍ୱିତୀୟ ଥର ଏହି ସୁଯୋଗ ମିଳିବା ଖୁବ୍ କ୍ୱଚିତ୍ । ଷ୍ଟାଡିୟମରେ ଲକ୍ଷାଧିକ ଫ୍ୟାନ୍ସ ରହିବେ । ତେଣୁ ଏବେ ପର୍ଯ୍ୟନ୍ତ ଭାରତୀୟ ଦଳ ଯେଉଁଭଳି ପ୍ରଦର୍ଶନ କରି ଆସିଛି ସେହି ପ୍ରଦର୍ଶନ ଫାଇନାଲ ମୁକାବିଲାରେ ମଧ୍ୟ ଦେଖାଇବାକୁ ପଡିବ । ଫାଇନାଲ ମ୍ୟାଚର ଫଳାଫଳ ସ୍ଥିର କରିବନି ଯେ, ଟିମ୍ ଇଣ୍ଡିଆ କେମିତି ଖେଳିଲା । ଫାଇନାଲ କୌଣସି ଗୋଟିଏ ଟିମ୍ ଜିତିବ । କିନ୍ତୁ ଏବେ ସୁଦ୍ଧା ଭାରତ ଯେଉଁଭଳି ପ୍ରଦର୍ଶନ କରି ଆସିଛି ସେ ଦୃଷ୍ଟିରୁ ମୋ ନଜରରେ ରୋହିତ ବାହିନୀ ଚାମ୍ପିୟନ ବୋଲି କହିଛନ୍ତି ଗମ୍ଭୀର ।