କନକ ବ୍ୟୁରୋ: ସୋସିଆଲ୍ ମିଡିଆରେ ପୁଣି ମୁହାଁମୁହି ହେଲେ ଧୋନୀ-ଗମ୍ଭୀର ଫ୍ୟାନ୍ସ । ବିଶ୍ୱକପ୍ ବିଜୟୀ ଏହି ଦୁଇ ଖେଳାଳିଙ୍କ ଫ୍ୟାନ୍ସଙ୍କ ଭିତରେ ପ୍ରବଳ କଥା କଟାକଟି ଦେଖିବାକୁ ମିଳିଛି । ଯାହାକି ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Advertisment

ଅସଲ କଥା ହେଉଛି, ସେପ୍ଟେମ୍ବର ୨୫ ତାରିଖରେ ଧୋନୀ ନିଜର ଫେସବୁକ୍ ଆକାଉଣ୍ଟରେ ଲାଇଭ୍ ଆସି କିଛି ବଡ ଘୋଷଣା କରିବେ ବୋଲି କରିଥିଲେ । ଆଉ ଏହି ଲାଇଭରେ ସେ ଓରିଓ ବିସ୍କୁଟର ଲଞ୍ଚ୍ କରିଥିଲେ । ଖାଲି ସେତିକି ନୁହେଁ, ଧୋନୀ ଏହାର ଲଞ୍ଚକୁ ବିଶ୍ୱକପ୍ ସହ ମଧ୍ୟ ଯୋଡିଥିଲେ । ୨୦୧୧ରେ ଓରିଓ ଲଞ୍ଚ୍ ହେଇଥିଲା, ୨୦୧୧ରେ ଭାରତ ବିଶ୍ୱକପ୍ ବି ଜିତିଥିଲା । ତେଣୁ ୨୦୨୨ରେ ଓରିଓ ରି-ଲଞ୍ଚ୍ ହେଇଛି ଆଉ ଭାରତ ପୁଣିଥରେ ବିଶ୍ୱକପ୍ ଜିତିବ ବୋଲି ଏହି ଲାଇଭରେ ଧୋନୀ କହିଥିଲେ ।

ହେଲେ ଧୋନୀଙ୍କର ଏହି ଭିଡିଓକୁ ନେଇ ଚର୍ଚ୍ଚା ଆରମ୍ଭ ହେଇଥିଲା । କିଛି ଲୋକ ଏହାକୁ ପସନ୍ଦ କରିନଥିବାବେଳେ, ଅନେକ ଏହି ପ୍ରେସ୍ କନଫରେନ୍ସକୁ ନିନ୍ଦା କରିଥିଲେ । ଆଉ ଏତିକି ବେଳେ ଗମ୍ଭୀର ନିଜ ଇନଷ୍ଟାଗ୍ରାମ ଆଇଡିରେ ଏକ ଭିଡିଓ ସେୟାର କରିଥିଲେ । ଯାହା ଧୋନୀ-ଗମ୍ଭୀର ଫ୍ୟାନ୍ସଙ୍କ ଭିତରେ ତିକ୍ତତା ବଢାଇ ଦେଇଥିଲା । ଗମ୍ଭୀର ସେୟାର କରିଥିବା ଏହି ଭିଡିଓରେ, ସେ ତାଙ୍କ ଝିଅଙ୍କ ସହ ନଜର ଆସିଥିଲେ । ଆଉ ଏହି ଭିଡିଓରେ ତାଙ୍କ ଝିଅ କୁକୁରକୁ ଓରିଓ ଓରିଓ କହି ଡାକୁଥିଲା । ଯାହାକୁ କି ଫ୍ୟାନ୍ସମାନେ ଧୋନୀଙ୍କ ଓରିଓ ବିସ୍କୁଟ ପ୍ରେସ୍ କନଫରେନ୍ସ ସହ ଯୋଡି ମଜାକ୍ ଉଡାଇବା ସହିତ ଧୋନୀଙ୍କୁ ଟ୍ରୋଲ କରିଥିଲେ ।

ସେହିଭଳି କିଛି ଲୋକ ଯୁବରାଜ ଆଉ ଧୋନୀଙ୍କ ଫଟୋ ସେୟାର କରି ବିଶ୍ୱକପ୍ ବିଜୟ ପଛର ଅସଲି ଓରିଓ ଯୁବରାଜ ଥିଲେ ବୋଲି କହିଥିଲେ । ଯୁବରାଜ ହିଁ ୨୦୧୧ରେ ଭାରତକୁ ବିଶ୍ୱକପ୍ ବିଜୟୀ କରିବାରେ ମୁଖ୍ୟ ଭୂମିକା ନେଇଥିଲେ ବୋଲି କହିବା ସହିତଧୋନୀଙ୍କୁ ଜୋରଦାର ଟାର୍ଗେଟ କରିଥିଲେ ଫ୍ୟାନ୍ସ ।

୨୦୧୧ ମସିହାରେ ଭାରତ ଦ୍ୱିତୀୟ ଥର ପାଇଁ ୱାନ୍ ଡେ ବିଶ୍ୱକପ୍ ଜିତିଥିଲା । ଟିମ୍ ଇଣ୍ଡିଆ ଫାଇନାଲରେ ଶ୍ରୀଲଙ୍କାକୁ ହରେଇବା ସହ ଦୀର୍ଘ ୨୮ ବର୍ଷ ପରେ ବିଶ୍ୱକପକୁ ନିଜ ନାଁରେ କରିଥିଲା । ଫାଇନାଲ ମ୍ୟାଚରେ ଗମ୍ଭୀର ୯୭ ରନର ଗୁରୁତ୍ୱପୂର୍ଣ୍ଣ ଇଂନିସ ଖେଳିବା ସହିତ, ଭାରତକୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ନେଇଥିଲେ । ସେହିପରି ଧୋନୀ ମଧ୍ୟ ଏହି ମ୍ୟାଚରେ ଅପରାଜିତ ୯୧ ରନର ଇଂନିସ୍ ଖେଳିଥିଲେ । ଯୁବରାଜ ମଧ୍ୟ ପୂରା ୱାଲ୍ଡକପରେ ଚମକ୍ରାର କ୍ରିକେଟ୍ ଖେଳିଥିଲେ । ଯେଉଁଥିପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦ ଟୁର୍ଣ୍ଣାମେଂଟ ମଧ୍ୟ ଘୋଷଣା କରାଯାଇଥିଲା ।