ଧନୀ ତାଲିକାରେ ଅମ୍ବାନୀଙ୍କୁ ପଛରେ ପକାଇବେ ଆଦାନୀ ! ପଢନ୍ତୁ କଣ କହୁଛି ‘ବ୍ଲୁମବର୍ଗ’ ରିପୋର୍ଟ

262

କନକ ବ୍ୟୁରୋ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏସିଆର ସବୁଠୁ ଧନୀ ବ୍ୟକ୍ତି ଅଟନ୍ତି । କିନ୍ତୁ ବର୍ତ୍ତମାନ ଏହି ବଦସାହଙ୍କୁ ଟକ୍କର ଦେବାକୁ ଯାଉଛନ୍ତି ଅନ୍ୟଜଣେ ବ୍ୟବସାୟୀ ଗୌତମ ଆଦାନୀ । ମୁକେଶ ଅମ୍ବାନୀଙ୍କ ତୁଳନାରେ ଆଦାନୀଙ୍କ ସମ୍ପତି ବୃଦ୍ଧି ପାଇବାରେ ଲାଗିଛି । ଆଉ ଏହି ଧନୀ ତାଲିକାରୁ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଆଗକୁ ବଢିବାକୁ ଯାଉଛନ୍ତି ଗୌତମ ଆଦାନୀ ।
ରିଲାଏନ୍ସ ଗ୍ରୁପର ସେୟାରରେ ହ୍ରାସ ଏବଂ ଆଦାନୀ ଗ୍ରୁପର ସେୟାର ବୃଦ୍ଧି ହେତୁ ଉଭୟଙ୍କ ମଧ୍ୟରେ ଦୂରତା ବହୁତ ସଂକୀର୍ଣ୍ଣ ହୋଇଯାଇଛି । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ନଭେମ୍ବର ୨୫ରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ମୂଲ୍ୟ ୮୯.୧ ବିଲିୟନ୍ ଡଲାରରେ ପହଞ୍ଚିଛି । ଅନ୍ୟପଟେ ଆଦାନୀଙ୍କ ସମ୍ପତ୍ତି ୮୯.୧ ବିଲିୟନ୍ ଡଲାରରେ ପହଞ୍ଚିଛି । ସେହିପରି ଗତ ବୁଧବାର ଦିନ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୧.୩୨ ବିଲିୟନ୍ ଡଲାର ଥଳକୁ ଖସିଥିବା ବେଲେ ଗୌତମ୍ ଆଦାନୀଙ୍କ ସମ୍ପତ୍ତି ୩୭.୫ କୋଟି ଡଲାର ବୃଦ୍ଧି ହୋଇଛି । ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ତଳକୁ ଖସୁଥିବା ସତ୍ୱେ ବି ଧନୀ ତାଲିକାରେ ଏସିଆର ସବୁଠୁ ଧନୀ ବ୍ୟକ୍ତି ଏବଂ ବିଶ୍ୱ ୧୨ନମ୍ବର ସ୍ଥାନରେ ରହିଛନ୍ତି ଅମ୍ବାନୀ । ସେହିପରି ଧନୀ ତାଲିକାରେ ଆଦାନୀ ଏସିଆର ଦ୍ୱୀତିୟ ଏବଂ ବିଶ୍ୱର ୧୩ନମ୍ବର ସ୍ଥାନରେ ରହିଛନ୍ତି ।
ଗତ କିଛିଦିନ ତଳେ ମିଡିଆରେ ଖବର ପ୍ରକାଶ ପାଇଥିଲା, ଧନୀ ତାଲିକାରେ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଦେଇଛନ୍ତି ଗୌତମ୍ ଆଦାନୀ । କିନ୍ତୁ ପରେ ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲାକି, ଏବେ ବି ଅମ୍ବାନୀଙ୍କ ପଛରେ ରହିଛନ୍ତି ଆଦାନୀ ।