କନକ ବ୍ୟୁରୋ: ଶରଦ ପାୱାରଙ୍କୁ ଭେଟିଲେ ଗୌତମ ଅଦାନୀ । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନସିପି ନେତାଙ୍କୁ ତାଙ୍କ ବାସଭବନ ଯାଇ ସାକ୍ଷାତ କରିଛନ୍ତି ଅଦାନୀ ଗ୍ରୁପର ଚେୟାରମ୍ୟାନ୍ ତଥା ବିଶିଷ୍ଟ ଶିଳ୍ପପତି ଗୌତମ ଅଦାନୀ । ତେବେ ଦୁହିଁଙ୍କ ସାକ୍ଷାତ ସେତେବେଳେ ହୋଇଛି, ଯେତେବେଳେ ହିଣ୍ଡନବର୍ଗ ରିପୋର୍ଟ ପ୍ରସଙ୍ଗରେ ଅଦାନୀଙ୍କୁ ସମର୍ଥନ ଜଣାଇଛନ୍ତି ଶରଦ ପାୱାର । ତେଣୁ ଏହି ଭେଟଘାଟକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

Advertisment

ଆମେରିକାର ଏକ କମ୍ପାନୀ ହିଣ୍ଡନବର୍ଗ କିଛି ଦିନ ତଳେ ଗୌତମ ଅଦାନୀଙ୍କ ଅଦାନୀ ଗ୍ରୁପକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଥିଲା । ଯେଉଁଥିରେ ମାର୍କେଟରେ ହେରଫେର୍ ଓ ଆକାଉଣ୍ଟରେ ଏପଟସେପଟ ହୋଇଥିବା କଥା ଅଭିଯୋଗ ହୋଇଥିଲା । ତେବେ ଯେବେଠୁ ଏହି ରିପୋର୍ଟ ସାମ୍ନାକୁ ଆସିଥିଲା, ସେବେଠୁ ଅଦାନୀଙ୍କ ସେୟାରର ମୂଲ୍ୟ ତଳକୁ ଖସିବାରେ ଲାଗିଥିଲା । ହେଲେ ଅଦାନୀ ଗ୍ରୁପ୍ କିନ୍ତୁ ଏହି ରିପୋର୍ଟକୁ ନିରାଧାର ବୋଲି କହିବା ସହିତ ଏହା ଭ୍ରମାତ୍ମକ ବୋଲି କହିଥିଲା ।

ଏହି ରିପୋର୍ଟକୁ ନେଇ ଦେଶରେ ରାଜନୀତି ବି ଜୋର ଧରିଥିଲା । ବିରୋଧୀ ଦଳର ନେତାମାନେ ଏହି ପ୍ରସଙ୍ଗରେ ମୋଦୀ ସରକାରକୁ ଟାର୍ଗେଟ କରିଥିବାବେଳେ, ବଜେଟ୍ ଅଧିବେଶନ ମଧ୍ୟ ପଡିଥିଲା ଉଠିଥିଲା । ହେଲେ ଏହି ପ୍ରସଙ୍ଗରେ କିନ୍ତୁ ଅଦାନୀଙ୍କୁ ସପୋର୍ଟ କରିଥିଲେ ଏନସିପି ନେତା ଶରଦ ପାୱାର । ଯାହା ଏବେ ଚର୍ଚ୍ଚାରେ ରହିଛି ।

ଶରଦ ପାୱାର ଏକ ଚ୍ୟାନେଲକୁ ଦେଇଥିବା ଇଣ୍ଟରଭ୍ୟୁରେ କହିଥିଲେ ଯେ, ହିଣ୍ଡନବର୍ଗ ପୂର୍ବରୁ ବି ଏମିତି ବୟାନ ଦେଇଥିଲା । ଆଉ ଏହାକୁ ନେଇ ସଂସଦରେ ହଙ୍ଗାମା ମଧ୍ୟ ହେଇଥିଲା । ହେଲେ ଏଥର କିନ୍ତୁ ଆବଶ୍ୟକତାଠାରୁ ଅଧିକ ହୋଇଯାଇଛି । ତେବେ ରିପୋର୍ଟରେ ଯେଉଁ ବୟାନ ଦିଆଯାଇଛି, ତାହାର ବ୍ୟାକଗ୍ରାଉଣ୍ଡ କଣ ସେନେଇ ପ୍ରଶ୍ନ ଉଠାଇଥିଲେ ଶରଦ । ଆମ ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରିବାକୁ ଏପରି ଟାର୍ଗେଟ କରାଯାଉଥିବା କହିଥିଲେ ଶରଦ ।

ତେବେ ଦେଶର ପ୍ରମୁଖ ବିରୋଧୀ ଦଳମାନେ ଅଦାନୀ ପ୍ରସଙ୍ଗରେ ବିରୋଧ କରୁଥିବାବେଳେ, ଏନସିପି ନେତା କିନ୍ତୁ ଏହାଠୁ ବିପରୀତ ଥିଲେ । ଅଦାନୀ ପ୍ରସଙ୍ଗରେ ଗୌତମଙ୍କୁ ସମର୍ଥନ କରିଥିଲେ ଶରଦ । ଯାହା ପରେ ଆଜି ଅଦାନୀ ନିଜେ ଯାଇ ଶରଦଙ୍କୁ ଭେଟିବା ଚର୍ଚ୍ଚା ସାଉଣ୍ଟିଛି ।