ଦ୍ରୁତ ଗତିରେ ବଢୁଛି ଆଦାନୀ ଗ୍ରୁପ କମ୍ପାନୀର ମାଲିକଙ୍କ ସମ୍ପତ୍ତି । ଆଇଆଇଏଫଏଲ୍ ହୁରୁନ ରିପୋର୍ଟରୁ ସ୍ପଷ୍ଟ

106

କନକ ବ୍ୟୁରୋ : ଦ୍ରୁତ ଗତିରେ ବଢୁଛି ଆଦାନି ଗ୍ରୁପ କମ୍ପାନୀର ମାଲିକ ଗୌତମ ଆଦାନିଙ୍କ ସମ୍ପତି । ନିକଟରେ ପ୍ରକାଶ ପାଇଥିବା ଆଇଆଇଏଫଏଲ ହୁରୁନ ରିପୋର୍ଟରୁ ଏହା ଜଣାପଡିଛି । ଏସିଆରେ ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ମୁକେଶ ଅମ୍ପାନି ୭ ଲକ୍ଷ ୧୮ ହଜାର କୋଟି ସହ ଶୀର୍ଷରେ ରହିଛନ୍ତି । ତାଙ୍କ ପଛକୁ ଗୌତମ ଆଦାନି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଆଦାନିଙ୍କ ସଂପତ୍ତିର  ମୂଲ୍ୟ ୫ ଲକ୍ଷ କୋଟି ରହିଛି । ଗୌତମ ଚୀନର ଝୋଙ୍ଗ ସାନ୍ ସାନଙ୍କୁ ହଟାଇ ଏସିଆର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ଗୌତମଙ୍କ ଦୈନିକ ଆୟ ୧୦୦୨ କୋଟି । ତେବେ ଏସିଆର ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରୁ ୮ ନମ୍ବର ସ୍ଥାନରେ ରହିଛନ୍ତି ଗୌତମ ଆଦାନିଙ୍କ ବଡ ଭାଇ ବିନୋଦ ଆଦାନି । ବିନୋଦଙ୍କର ଦୁବାଇରେ ବ୍ୟବସାୟ ରହିଛି । ଦେଶରେ ଆଦାନିଙ୍କର ବିଭିନ୍ନ ବ୍ୟବସାୟ ରହିଛି । ଫୁଡ ପ୍ରୋସେସିଂ ୟୁନିଟ, ବିମାନ ବନ୍ଦର ପରିଚାଳନା, ରୋଡ୍ ଆଣ୍ଡ ଟ୍ରାନ୍ସପୋର୍ଟ ଆଦି ମୁଖ୍ୟ କମ୍ପାନୀ ରହିଛି । ଏହାରି ଭିତରେ ଗ୍ରୀନ ଏନର୍ଜି, ଗ୍ୟାସ, ଶକ୍ତି, ସୌର ଶକ୍ତି, ଥର୍ମାଲ, ଡାଟା ସେଂଟର ଆଦି ରହିଛି । ଗୁଜରାଟ ଅହମଦାବାଦରେ ରହିଛି ଏହି କମ୍ପାନୀର ମୁଖ୍ୟ ଅଫିସ । ଆଦାନି ଗ୍ରୁପ ପ୍ରଥମେ ମାଇନ୍ସ ଏବଂ କୋଇଲା କାରବାରରୁ ବ୍ୟବସାୟ ଆରମ୍ଭ କରିଥିଲା ।

ଚଳିତ ବର୍ଷର ଧନୀ ତାଲିକାରେ ୧୩ ଜଣ ଯୁବବର୍ଗର ‌ଉଦ୍ୟୋଗୀ ରହିଛନ୍ତି ଯେଉଁମାନେ ନବେ ଦଶକରେ ଜନ୍ମ ଗ୍ରହଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ସବୁଠୁ ସାନ ହେଉଛନ୍ତି ଭାରତପେ’ ଆପ୍‌ର ପ୍ରତିଷ୍ଠାତା ଦିଲ୍ଲୀର ୨୩ ବର୍ଷୀୟ ଯୁବକ ଶାଶ୍ବତ ନାକରାନି । ଭାରତରେ ୧୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ମାଲିକଙ୍କ ସଂଖ୍ୟା ୧୦୦୭ରେ ପହଞ୍ଚିଛି । ସମ୍ପତ୍ତି ମାମଲାରେ ଚର୍ଚ୍ଚିତ ନିବେଶକ ରାକେଶ ଝୁନ୍‌ଝୁନ୍‌ୱାଲାଙ୍କୁ ବାଇଜୁସ୍‌ର ମୁଖ୍ୟ ବାଇଜୁ ରବିନ୍ଦ୍ରନ୍ ପଛରେ ପକାଇ ଦେଇଛନ୍ତି । ଧନୀ ତାଲିକାରେ ଥିବା ୮୯୪ ଜଣଙ୍କ ସମ୍ପତ୍ତି ଏବର୍ଷ ବୃଦ୍ଧି ପାଇଥିବା ବେଳେ ୧୧୩ ଜଣଙ୍କ ସମ୍ପତ୍ତି ହ୍ରାସ ପାଇଛି ।

୫୧ ଜଣ ଧନୀ ତାଲିକାରୁ ବାହାରି ଯାଇଥିବା ବେଳେ ୨୨୯ଟି ନୂଆ ଚେହେରା ତାଲିକାରେ ପ୍ରବେଶ କରିଛନ୍ତି ଓ ୬ ଜଣଙ୍କର ପ‌ରଲୋକ ହୋଇଛି । ସର୍ବାଧିକ ଧନୀ ସୃଷ୍ଟି କରିବା ତାଲିକାରେ ମୁମ୍ବାଇ (୨୫୫) ପ୍ରଥମ ସ୍ଥାନରେ ଥିବା ବେଳେ ଦିଲ୍ଲୀ (୧୬୭) ଓ ବେଙ୍ଗାଲୁରୁ (୮୫) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛି । ଅହମ୍ମଦାବାଦକୁ ଚେନ୍ନାଇ ପଞ୍ଚମ ସ୍ଥାନରୁ ହଟାଇଛି । ସୋସିଆଲ୍ ମିଡିଆରେ ରତନ ଟାଟାଙ୍କ ସର୍ବାଧିକ ୧୦ ନିୟୁତ ଅନୁଗାମୀ ଥିବା ବେଳେ ୮.୫ ନିୟୁତ ଅନୁଗାମୀଙ୍କ ସହ ଆନନ୍ଦ ମହିନ୍ଦ୍ରା ଦ୍ବିତୀୟ ସ୍ଥାନରେ ରହିଛନ୍ତି ।