କନକ ବ୍ୟୁରୋ : ଯେଉଁ କେତେଜଣ ବଲିଉଡ୍ ଅଭିନେତ୍ରୀ ସାମାଜିକ ଗଣମାଧ୍ୟମରେ ମୁଖର ରହିଥାନ୍ତି ସେମାନଙ୍କ ମଧ୍ୟରୁ ଗୌହର ଖାନ ଅନ୍ୟତମ । ସେ ଏବେ ଜଣେ ଅସହାୟ ଫଳ ଦୋକାନୀକୁ ସହାୟତାର ହାତ ବଢ଼ାଇ ପ୍ରଶଂସା ସାଉଁଟୁଛନ୍ତି ।
ନିକଟରେ ଭୋପାଳର ଏକ ଭିଡିଓ ଭାଇରାଲ୍ ହୋଇଥିଲା ଯେଉଁଥିରେ ଜଣେ ମହିଳା ଏକ ଫଳ ଦୋକାନୀର ଫଳଗୁଡ଼ିକୁ ରାସ୍ତା ଉପରକୁ ଫୋପାଡୁଥିବାର ଦେଖିବାକୁ ମିଳିଥିଲା । ଅସଲରେ ଫଳ ଦୋକାନୀ ନିଜ ଠେଲାଗାଡ଼ିଟିକୁ ରାସ୍ତାରେ ନେଇ ଯାଉଥିବା ବେଳେ ମହିଳାଜଣଙ୍କର କାର୍ରେ ତାହା ଭୁଲ୍ବଶତଃ ଘଷି ହୋଇଯାଇଥିଲା । ଏତିକିରେ ଉତ୍ତ୍ୟକ୍ତ ହୋଇ ସେ କାର୍ରୁ ବାହାରି ଠେଲାରେ ଥିବା ଫଳଗୁଡ଼ିକୁ ରାସ୍ତାକୁ ଫୋପାଡ଼ିବା ଆରମ୍ଭ କରିଥିଲେ ।
ଏହି ଭିଡିଓ ଦେଖି ଗୌହରଙ୍କ ହୃଦୟ ତରଳି ଯାଇଛି । ଗୌହର ନିଜ ଇନ୍ଷ୍ଟାଗ୍ରାମ୍ରେ ବିଚରା ଫଳ ଦୋକାନୀର ପକ୍ଷ ନେଇ ଉକ୍ତ ମହିଳାଙ୍କ ନିଷ୍ଠୁର ବ୍ୟବହାରକୁ ନିନ୍ଦା କରିଛନ୍ତି । କେବଳ ଏତିକି ନୁହେଁ, ସେ ସେହି ଫଳ ଦୋକାନୀଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ଲୋକଙ୍କୁ ଆହ୍ବାନ କରିଛନ୍ତି । ଗୌହର ଫଳ ଦୋକାନୀଙ୍କ କ୍ଷତିପୂରଣ ସ୍ବରୂପ ତାଙ୍କ ଠାରୁ ସବୁତକ ଫଳ କିଣିବାକୁ ଚାହାନ୍ତି ବୋଲି ପ୍ରକାଶ କରିଛନ୍ତି । ଜଣେ ଗରିବ ଫଳ ଦୋକାନୀ ପ୍ରତି ସେ ସହାନୁଭୂତି ପ୍ରଦର୍ଶନ କରୁଥିବା ଦେଖି ପ୍ରଶଂସକମାନେ ଗୌହରଙ୍କ ସହୃଦୟତାର ଉଚ୍ଚ ପ୍ରଶଂସା କରୁଛନ୍ତି ।