ଗେଟରେ ଭୂତତ୍ୱ ବିଭାଗର ସାରାଦେଶରେ ଟପ୍ପର ମାର୍ଶାଘାଇର ସମ୍ବିତ୍ ପରିଡା । ଦୁର୍ଘଟଣାରେ ଗୋଡ ଭାଙ୍ଗିବାର ୧୦ ଦିନ ପରେ ଦେଇଥିଲେ ପରୀକ୍ଷା ।

169

କନକ ବ୍ୟୁରୋ: କେନ୍ଦ୍ରାପଡା ପାଇଁ ଗୈାରବ ଆଣିଛନ୍ତି ମାର୍ଶାଘାଈର ସମ୍ବିତ୍ ପରିଡା । ସର୍ବ ଭାରତୀୟ ଗେଟ୍ ପରିକ୍ଷାରେ ଭୁତତ୍ୱ ବିଜ୍ଞାନ ବିଭାଗରେ ଟପ୍ପର ହୋଇଛନ୍ତି ସମ୍ବିତ । କଠିନ ପରିଶ୍ରମ ଏବଂ ଅଧ୍ୟବସାୟ ବଳରେ ସମ୍ବିତଙ୍କୁ ସଫଳତା ମିଳିଥିବା ବେଳେ ଚାରିଆଡୁ ସୁଭେଚ୍ଛାର ସୁଅ ଛୁଟୁଛି । ପରୀକ୍ଷାର କିଛି ଦିନ ପୂର୍ବରୁ ଦୁର୍ଘଟଣାର ଶିକାର ହୋଇ ଗୋଡ ଭାଙ୍ଗି ଯାଇଥିଲେ ବି ପ୍ରଭାବିତ ହୋଇନଥିଲେ ସମ୍ବିତ୍, କି ପ୍ରଭାବିତ ହୋଇନଥିଲା ତାଙ୍କ ଶିକ୍ଷା ।

ପରିଶ୍ରମର ମୂଲ କେବେ ବୁଡେନି । ଆତ୍ମବିଶ୍ୱାସ ଓ ଅଧ୍ୟବସାୟ ଜାରି ଥିଲେ ସଫଳତା ବାଟ କଢେଇ ନିଏ । ପରୀକ୍ଷାର ୧୦ ଦିନ ଆଗରୁ ଦୁର୍ଘଟଣାରେ ଗୋଡ ଭାଙ୍ଗି ଥିଲେ ବି ଗେଟ୍ ପରୀକ୍ଷାରେ ଟପ୍ପର ହୋଇଛନ୍ତି ମାର୍ଶାଘାଈ ବ୍ଲକ ଅନ୍ତେଇ ଗାଁର ସମ୍ବିତ ପରିଡା । ସମ୍ବିତ ସର୍ବଭାରତୀୟ ଗେଟ୍ ପରୀକ୍ଷାରେ ଭୂତତ୍ୱ ବିଜ୍ଞାନ ବିଭାଗରେ ଟପ୍ପର ହୋଇଛନ୍ତି । ଦୁର୍ଘଟଣାରେ ଗୋଡ ଅପରେସନ୍ ପରେ ଘରେ ରେଷ୍ଟ ନେବାକୁ କହିଥିଲେ ଡାକ୍ତର । କିନ୍ତୁ ସବୁ କଷ୍ଟକୁ ସହି ଗେଟ୍ ପରୀକ୍ଷା ଦେଇଥିଲେ ସମ୍ବିତ ।

ସମ୍ବିତ ଅନ୍ତେଇ ସରକାରୀ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍ ପାସ କରିବା ପରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ +୨ ଏବଂ ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ଯୁକ୍ତ ୩ ବିଜ୍ଞାନ ପଢିଛନ୍ତି । ଏହାପରେ ଏନ୍.ଆଇ.ଆଇ.ଟି ମୁମ୍ବେଇରେ ସଫଳତାର ସହ ଏମ.ଏସ୍.ସି ପାଠ ସାରି ଏବେ କାନପୁର ଏନ୍.ଆଇ.ଆଇ.ଟିରେ ପି.ଏଚ୍.ଡି କରୁଛନ୍ତି । ଶିକ୍ଷାକ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ସଫଳତା ସାଉଁଟୁଥିବା ସମ୍ବିତ ଗେଟ୍ ପରୀକ୍ଷାରେ ୧୦୦ ମାର୍କରୁ ୭୨.୬୭ ମାର୍କ ରଖି ସର୍ବଭାରତୀୟ ସ୍ତରରେ ଭୂତତ୍ୱ ବିଜ୍ଞାନ ବିଭାଗରେ ଟପ୍ପର ହୋଇଛନ୍ତି ।

ସମ୍ବିତଙ୍କ ଏହି ସଫଳତା ସମଗ୍ର ରାଜ୍ୟ ତଥା କେନ୍ଦ୍ରାପଡା ଜିଲ୍ଲା ପାଇଁ ଗୈାରବ ଆଣିଥିବା ବେଳେ ଚାରିଆଡୁ ତାଙ୍କ ନିକଟକୁ ଶୁଭେଛାର ସୁଅ ଛୁଟିଛି ।