ଘରେ ଘରେ ଗ୍ୟାସ୍ ବନାମ ଘରେ ଘରେ ପାଣି ! କିଏ ରହିବ କାହା ସପକ୍ଷରେ ?

135

କନକ ବ୍ୟୁରୋ : ଓଡିଶା ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲେ କେନ୍ଦ୍ର ମନ୍ତ୍ରୀ ରାମକୃପାଳ ଯାଦବ । କେନ୍ଦ୍ରର ସମସ୍ତ ଜନହିତକାରୀ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରିବାରେ ଓଡିଶା ଫେଲ ମାରିଛି । ଏହାସହ ଭ୍ରଷ୍ଟାଚାର ଓ ପିସି କାରବାରରେ ଲିପ୍ତ ରହିଥିବା ନେଇ ଅଭିଯୋଗ କରିଛନ୍ତି ରାମ କ୍ରିପାଲ । ଅନ୍ୟପଟେ ବିଜେଡି ସାଂସଦ ପ୍ରତାପ ଦେବ ଏନେଇ ପ୍ରଶ୍ନ ଉଠାଇଛନ୍ତି ।  କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ କରିବାରେ ଓଡିଶା ଯଦି ପଛୁଆ ତାହେଲେ କେନ୍ଦ୍ର ସରକାର କେମିତି ପୁରସ୍କାର ଦେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗ ଓ ବିଜେଡିର ଜବାବ । ଯାହାକୁ ନେଇ ସୃଷ୍ଟି ହୋଇଛି ନୂଆ ବିବାଦ । ସିଟି ଗ୍ୟାସ ବିତରଣ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଓଡ଼ିଶା ଆସିଥିଲେ ଗ୍ରାମ୍ୟ ଉନ୍ନୟନ ବିଭାଗର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ରାମ କ୍ରିପାଲ ଯାଦବ । ଆଜି ଦେଶର ୬୩ଟି ଅଂଚଳରେ ସିଟି ଗ୍ୟାସ ବିତରଣ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଲାଇଭ ଭିଡିଓ ଷ୍ଟ୍ରିମିଂ ଜରିଆରେ ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିରେ ରହିଛି ଓଡ଼ିଶାର ୭ଟି ଭୌଗଳିକ ଅଂଚଳ । ଏହି ଯୋଜନା ଦ୍ୱାରା ରାଜ୍ୟର ୧୭ଟି ଜିଲ୍ଲାର ଲକ୍ଷ ଲକ୍ଷ ଲୋକଙ୍କୁ  ପରିବେଶ ଅନୁକୁଳ ଗ୍ୟାସ ଯୋଗାଇବା ପାଇଁ ଲକ୍ଷ୍ୟ ରହିଛି ।

ଗ୍ୟାସ ବନାମ ପାଣି :

ଗୋଟିଏ ପଟେ କେନ୍ଦ୍ରର ସିଟି ଗ୍ୟାସ ବିତରଣ ଯୋଜନା, ଅନ୍ୟପଟେ ରାଜ୍ୟ ସରକାରଙ୍କ ବସୁଧା ଯୋଜନା । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ଲୁଣିପାଣି ଅଂଚଳରେ ବସୁଧା ଯୋଜନାରେ ମିଳିବ ମିଠା ପାଣି । ୧୪୭ଟି ଗ୍ରାମକୁ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର  ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ପ୍ରକଳ୍ପ ଦ୍ୱାରା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳିର କୃଷ୍ଣପ୍ରସାଦ ବ୍ଲକର ୯୨ଟି ଓ ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକର ୫୫ଟି ଗାଁକୁ ବିଶୁଦ୍ଧ ପିଇବା ପାଣି ମିଳିବ  । ଏହି ପାନୀୟଜଳ ପ୍ରକଳ୍ପର ବ୍ୟୟ ବରାଦ ରହିଛି ୧୮୩ କୋଟି ଟଙ୍କା ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୁଇଟି ବଡ଼ ବଡ଼ ଯୋଜନାର ଶୁଭାରମ୍ଭ ହୋଇଥିବା ବେଳେ ଆରମ୍ଭ ହୋଇଛି କଥା କଟାକଟି । ଓଡ଼ିଶା ସରକାରଙ୍କ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗ ଏକ ନୂଆ ବିବାଦ ତିଆରିି କରିଛି । ଏହି ଅଭିଯୋଗର କଡ଼ା ଜବାବ ଦେଇଛି ବିଜେଡି । କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗ ମିଛ ବୋଲି କହିଛନ୍ତି ଦଳର ମୁଖପାତ୍ର ପ୍ରତାପ ଦେବ ।