ମହଙ୍ଗା ହେଲା ରୋଷେଇ ଗ୍ୟାସ୍ ! ୬ ବର୍ଷ ପରେ ରେକର୍ଡ ଭାଙ୍ଗିଲା, ସିଲିଣ୍ଡର ପିଛା ୧୪୯ ଟଙ୍କା ବଢ଼ିଲା, ଏଣିକି ଗଣିବାକୁ ହେବ ୮୯୫ ଟଙ୍କା ୫୦ ପଇସା ।

1,669

କନକ ବ୍ୟୁରୋ: ଖାଉଟିଙ୍କ ପାଇଁ ବଡ଼ ଖବର: ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି କାରଣରୁ ରୋଷେଇ ଗ୍ୟାସରେ ବଡ ଧରଣର ବୃଦ୍ଧି ହୋଇଛି । ସିଲିଣ୍ଡର ପିଛା ୧୪୯ ଟଙ୍କା ଦର ବୃଦ୍ଧି ହୋଇଛି । ରୋଷେଇ ସିଲିଣ୍ଡରର ଦର ୭୪୬ ଟଙ୍କା ୫୦ ପଇସା ଥିବା ବେଳେ ଏବେ ଏହା ୮୯୫ ଟଙ୍କା ହୋଇଛି । ଅବଶ୍ୟ ଏହି ଦର ବୃଦ୍ଧି ପରେ କେନ୍ଦ୍ର ସରକାର ରିହାତି ମଧ୍ୟ ବଢାଇଛନ୍ତି । ଏଣିକି ଆପଣ ଯଦି ରିହାତି ପାଉଛନ୍ତି, ତେବେ ଆପଣଙ୍କୁ ୩୮୪ ଟଙ୍କା ରିହାତି ମିଳିବ ।

ପୂର୍ବରୁ ଏହି ରିହାତି ୨୩୫ଟଙ୍କା ଥିଲା । ରିହାତି ୩୮୪ ଟଙ୍କା ଆପଣଙ୍କ ବ୍ୟାଙ୍କ ଆକାଂଉଟକୁ ଆସିଯିବ । ଜାନୁଆରୀ ୨୦୧୪ ପରେ ଏହା ସବୁଠାରୁ ଗ୍ୟାସ ଦରରେ ବଡ ବୃଦ୍ଧି । ଜାନୁଆରୀ ୨୦୧୪ରେ ସିଲିଣ୍ଡର ପିଛା ୨୨୦ ଟଙ୍କା ଦର ବୃଦ୍ଧି ହୋଇଥିଲା । ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ସିଲିଣ୍ଡର ପାଉଥିବା ହିତାଧିକାରୀମାନେ ପୂର୍ବରୁ ୧୭୪ ଟଙ୍କା ୮୬ ପଇସା ରିହାତି ପାଉଥିବା ବେଳେ ଏବେ ସେମାନେ ୩୧୨ ଟଙ୍କା ୪୮ ପଇସାର ରିହାତି ପାଇବେ ।

ସରକାର ୮ କୋଟି ଗରିବ ପରିବାରକୁ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ରୋଷେଇ ଗ୍ୟାସ ବଂଟନ କରିଛନ୍ତି । ସାଧାରଣତ, ରୋଷେଇ ଗ୍ୟାସର ଦର ପ୍ରତ୍ୟେକ ମାସ ପହିଲାରେ ନିର୍ଦ୍ଧାରଣ କରାଯାଇଥାଏ । କିନ୍ତୁ ଏଥର ଦୁଇ ସପ୍ତାହ ବିଳମ୍ବ ହୋଇଗଲା । କାରଣ, ହିତାଧିକାରୀ ମାନଙ୍କୁ ଅଧିକ ସବସିଡି ଦେବାକୁ ଥିବାରୁ ଏନେଇ ଭାରତ ସରକାରଙ୍କ ଅନୁମତିର ଆବଶ୍ୟକତା ଥିଲା ।