ଆକାଶଛୁଆଁ ରସୁଣ ଦର: କେଜି ପ୍ରତି ଦର ଛୁଇଁଲା ୪ଶହ ଟଙ୍କା

188

କନକ ବ୍ୟୁରୋ: ରୋଷେଇ ଘରେ ରସୁଣ ଚିନ୍ତା । ଆମିଷ ତରକାରୀରେ ରସୁଣ ନହେଲେ ନଚଳେ । ହେଲେ ଏବେ ବଜାରରେ ଯେଉଁ ଦର ବଢିଛି ତାହା ଲୋକଙ୍କ ଚିନ୍ତାକୁ ବଢାଇଛି । ରସୁଣ କିଲୋ ପିଛା ୪ ଶହ ଟଂକା ରହିଛି । ଚଳିତ ବର୍ଷ ରସୁଣ ଅମଳ ପ୍ରାୟ ୧୫ ପ୍ରତିଶତ କମ୍ ହୋଇଛି । ହେଲେ ମାତ୍ର ୧୫ ଦିନରେ ରସୁଣ ଦର ୧୦୦ ଟଙ୍କା ବୃଦ୍ଧି ହୋଇ ୪ଶହକୁ ଛୁଇଁଛି । ତେବେ ଏଭଳି ଦର ବୃଦ୍ଧି ପାଇଁ କର୍ପୋରେଟ ହାଉସର ପ୍ରବେଶକୁ ଦାୟୀ କରିଛି ଓଡିଶା ବ୍ୟବସାୟୀ ସଂଘ ।

ଅଚାନକ ରସୁଣର ଦର ବଢିଯାଇଛି । ରାଜଧାନୀରୁ ଉପାନ୍ତ ଅଂଚଳ, ସାରା ଓଡିଶାରେ ଚଢା ଦରରେ ବିକ୍ରି ହେଉଛି ରସୁଣ । ରସୁଣର ଏବେ ଅମଳ ସମୟ । ଦର କମ ରହିବା କଥା କିନ୍ତୁ ବଜାର ଗଲେ ରସୁଣ କିଣିବାକୁ ଦୁଇ ଥର ଚିନ୍ତା କରିବାକୁ ପଡୁଛି । ସାରା ରାଜ୍ୟରେ ଏବେ ରସୁଣ ଦର କିଲୋ ପିଛା ୪ଶହ ଟଙ୍କା ଛୁଇଁଛି । ରାଜଧାନୀର ଏକ ନଂବର ମାର୍କେଟରେ ୩୫୦ରୁ ୪୦୦ ଟଙ୍କା ବିକ୍ରି ହେଉଛି । ଖୁଚୁରା ବ୍ୟବସାୟୀ ଅଧିକ ଦର କଷୁଛନ୍ତି । ରସୁଣ କିଲୋ ୪ଶହ ଟଙ୍କା ଥିବା ବେଳେ କିଣିବାକୁ ୪ ଜଣ ଲୋକ ନାହାନ୍ତି । ଦର ବୃଦ୍ଧି ଯୋଗୁଁ ବିକ୍ରି ମଧ୍ୟ କମିଯାଇଛି । ଅନ୍ୟପଟେ ଯିଏ କିଣୁଛନ୍ତି ଶହେ, ଦୁଇ ଶହ ଗ୍ରାମ ଘରକୁ ନେଇ କାମ ଚଳେଇ ନେଉଥିବା କହିଛନ୍ତି ।

ଚଳିତ ବର୍ଷ ରସୁଣ ଅମଳ ପ୍ରାୟ ୧୫ ପ୍ରତିଶତ କମ ହୋଇଛି । ହେଲେ ମାତ୍ର ୧୫ ଦିନରେ ରସୁଣ ଦର ୧୦୦ ଟଙ୍କା ବୃଦ୍ଧି ହୋଇ ୪ଶହକୁ ଛୁଇଁଛି । ବିଶେଷ କରି ୟୁପି, ଇନ୍ଦୋର. ଗୁଜୁରାଟ, ରାଜସ୍ଥାନରୁ ଓଡିଶାକୁ ରସୁଣ ଆସିଥାଏ । କିନ୍ତୁ ଏଥର ଉତ୍ପାଦନ କମିଥିବାରୁ ରସୁଣ କମ ଆସୁଛି । ସେଇଥି ପାଇଁ ଦର ବଢିଥିବା ବ୍ୟବସାୟୀ କହିଛନ୍ତି । ସେପଟେ ଏଭଳି ଦର ବୃଦ୍ଧି ପାଇଁ ଭାରତୀୟ ବଜାରରେ କର୍ପୋରେଟ ହାଉସର ପ୍ରବେଶକୁ ଦାୟୀ କରିଛି ଓଡିଶା ବ୍ୟବସାୟୀ ସଂଘ । ମନଇଚ୍ଛା ଦର ବୃଦ୍ଧି ଉପରେ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ହସ୍ତକ୍ଷେପ କରିବାକୁ ସଂଘ ନିବେଦନ କରିଛି ।

ରସୁଣ ନପଡିଲେ ସେ ନିରାମିଶ ହେଉକି ଆମିଷ ତରକାରୀ, ପାଟିକୁ ସୁଆଦିଆ ଲାଗେ ନାହିଁ । ହେଲେ ରସୁଣର ଉଚ୍ଚା ଦର ଗ୍ରାହକଙ୍କୁ ବାଧୁଛି । ଆହୁରି ୧୫ ଦିନ ପରେ ନୂଆ ରସୁଣ ବଜାରକୁ ଆସିଲେ ଦର କମିବ ବୋଲି ଆଶା କରାଯାଉଛି ।