ଆକାଶଛୁଆଁ ରସୁଣ ଦର । କେଜି ପ୍ରତି ଦର ଟପିଲା ୪୦୦ ଟଙ୍କା । ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ହସ୍ତକ୍ଷେପ ଦାବି ।

275

କନକ ବ୍ୟୁରୋ: ରୋଷେଇ ଶାଳର ଅତ୍ୟାବଶ୍ୟକ ସାମଗ୍ରୀ ରୁସଣର ଦର ଆକାଶ ଛୁଆଁ ହୋଇଛି । ଅମଳ ସମୟରେ ବଜାରରେ ରସୁଣ କିଲୋକୁ ପାଖାପାଖି ୫ ଶହ ଟଙ୍କାରେ ବିକ୍ରି ହେଉଛି । ହେଲେ ଦୁଃଖର କଥା ହେଉଛି ରସୁଣ ଚାଷ କରିଥିବା ଚାଷୀ ନୁହେଁ ଚଢା ଦରରେ ରସୁଣ ବିକ୍ରି କରି ବ୍ୟବସାୟୀ ମାଲାମାଲ ହେଉଛନ୍ତି । ରସୁଣ କିଲୋକୁ ୪୫୦ରୁ ୪୮୦ ଟଙ୍କା କଷୁଛନ୍ତି ବ୍ୟବସାୟୀ । କିଣିବାକୁ ଡରୁଛନ୍ତି ଗ୍ରାହକ ।

ଦୁଇ ସପ୍ତାହ ତଳେ ରସୁଣ କିଲୋ ପିଛା ୧୫୦ରୁ ୨୦୦ ଟଙ୍କାରେ ବିକ୍ରି କରିଥିଲେ ଚାଷୀ । ରସୁଣର ଦର ଅଚାନକ ବୃଦ୍ଧି ପଛରେ କଳାବଜାରୀଙ୍କ ହାତ ଥିବା ଅନୁମାନ କରାଯାଉଛି । ଅନ୍ୟପଟେ ବ୍ୟବସାୟୀ କହିଛନ୍ତି, ବଜାରରେ ରସୁଣର ଆବଶ୍ୟକତା ପୂରଣ କରିବାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିବାରୁ ଦର ବଢିଯାଇଛି । ସେପଟେ ନୂଆ ରସୁଣ ଅମଳ ହୋଇ ବଜାରକୁ ଆସିଲେ ଦର ସ୍ୱାଭାବିକ ହେବ ବୋଲି ଆଶା କରାଯାଉଥିଲା । ହେଲେ ସେ ଆଶା ବି ପାଣି ଫାଟି ଯାଇଛି । କହିଛନ୍ତି, ନୂଆ ରସୁଣ ବଜାରକୁ ଆସିବା ପରେ ବି ଦର କମିବା ପରିବର୍ତେ ପାଖାପାଖି ୫୦ ପ୍ରତିଶତ ବଢ଼ିଯାଇଛି । ଦର ନିୟନ୍ତ୍ରଣ ପାଇଁ ସରକାର ହସ୍ତକ୍ଷେପ କରିବା ପାଇଁ ଦାବି ହେଉଛି ।