କନକ ବ୍ୟୁରୋ: ରୋଷେଇ ଶାଳର ଅତ୍ୟାବଶ୍ୟକ ସାମଗ୍ରୀ ରସୁଣର ଦର ଆକାଶ ଛୁଆଁ ହୋଇଛି । ଅମଳ ସମୟରେ ବଜାରରେ ରସୁଣ କିଲୋକୁ ପାଖାପାଖି ୫ ଶହ ଟଙ୍କାରେ ବିକ୍ରି ହେଉଛି । ହେଲେ ଦୁଃଖର କଥା ହେଉଛି ରସୁଣ ଚାଷ କରିଥିବା ଚାଷୀ ନୁହେଁ ଚଢା ଦରରେ ରସୁଣ ବିକ୍ରି କରି ବ୍ୟବସାୟୀ ମାଲାମାଲ ହେଉଛନ୍ତି । କୋରାପୁଟରୁ ଆସିଛି ରସୁଣର ଆକାଶ ଛୁଆଁ ଦରବୃଦ୍ଧିର ଖବର ।

Advertisment

ବଜାରରେ ଏବେ ରସୁଣ ଦର ଅକାଶ ଛୁଆଁ ହୋଇଛି । ଆଶ୍ଚର୍ଯ୍ୟକର କଥା ହେଉଛି ଅମଳ ସମୟରେ ଉଚ୍ଚା ଦରରେ ବିକ୍ରି ହେଉଛି ରସୁଣ । ରୋଷେଇ ଘରେ ଅଦା ଅଛି, ଅନ୍ୟ ପରିବା ବି ରହିଛି । ହେଲେ ରସୁଣ ଗାଏବ ହୋଇଯାଇଛି । ରସୁଣ ଅମଳ ସମୟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ବଜାରରେ । କାଁ ଭାଁ ଦୋକାନରେ ରସୁଣ ମିଳୁଛି । ଯେଉଁ କୋରାପୁଟରେ ଚଳିତ ବର୍ଷ ବମ୍ପର ରସୁଣ ଚାଷ ହୋଇଥିଲା, ସେଠି ଏବେ ରସୁଣ କିଣିବାକୁ ଡରୁଛନ୍ତି ଗ୍ରାହକ । ରସୁଣ କିଲୋକୁ ୪୫୦ରୁ ୪୮୦ ଟଙ୍କା କଷୁଛନ୍ତି ବ୍ୟବସାୟୀ । ଦୁଇ ସପ୍ତାହ ତଳେ ରସୁଣ କିଲୋ ପିଛା ୧୫୦ରୁ ୨୦୦ ଟଙ୍କାରେ ବିକ୍ରି କରିଥିଲେ ଚାଷୀ ।

କୋରାପୁଟରେ ଚଳିତ ବର୍ଷ ରସୁଣ ଉତ୍ପାଦନ ଗତବର୍ଷ ଅପେକ୍ଷା ୨୭ ପ୍ରତିଶତ ଅଧିକ ରହିଥିଲା । ତେଣୁ ରସୁଣର ଦର ଅଚାନକ ବୃଦ୍ଧି ପଛରେ କଳାବଜାରୀଙ୍କ ହାତ ଥିବା ଅନୁମାନ କରାଯାଉଛି । ଏପରିକି ଅଧିକ ଲାଭ କରିବା ଲୋଭରେ ବାହାର ରାଜ୍ୟର ମାଫିଆ ମୂଲିଆ ଲଗାଇ ଜମିରୁ ରସୁଣ ଖୋଳାଇ ନେଉଥିବା ଜଣାପଡିଛି । ଅନ୍ୟପଟେ ବ୍ୟବସାୟୀ କହିଛନ୍ତି, ବଜାରରେ ରସୁଣର ଆବଶ୍ୟକତା ପୂରଣ କରିବାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିବାରୁ ଦର ବଢିଯାଇଛି । ସେପଟେ ନୂଆ ରସୁଣ ଅମଳ ହୋଇ ବଜାରକୁ ଆସିଲେ ଦର ସ୍ୱାଭାବିକ ହେବ ବୋଲି କହିଛନ୍ତି, ଉଦ୍ୟାନ କୃଷି ବିଭାଗ ଉପନିର୍ଦ୍ଦେଶକ ।