ରାସ୍ତା କଡରେ ଆଉ ଦେଖିବାକୁ ମିଳିବ ନାହିଁ ଅଳିଆ ଗଦା । ଜୟପୁର ପୌରପାଳିକାର ଅଭିନବ ପ୍ରୟାସ । ଅଳିଆରୁ ପ୍ରସ୍ତୁତ ହେଉଛି ଜୈବିକ ଖତ ।

104

କନକ ବ୍ୟୁରୋ : ପ୍ରଦୂଷଣ ମୁକ୍ତ ହେବ ସହର । ରାସ୍ତା କଡ଼ରେ ଆଉ ଗଦା ହେବନି ଅଳିଆ ଆବର୍ଜନା । ଏବେ ଏହି ଅଳିଆରୁ ପସ୍ତୁତ ହେଉଛି ଜୈବିକ ଖତ । ଜୟପୁର ପୌର ପାଳିକାର ଅଭିନବ ପ୍ରୟାସ । କେମିକାଲ ବିହିନ ଖତ ସାର । କିଲୋ ପିଛା ୨୦ ଟଙ୍କା ହେଉଛି ଦାମ୍ । ଘରୁ ବାହାରୁ ଥିବା ଅଳିଆ ଆବର୍ଜନା ପୁଣି ସେହି ଘରକୁ ସାର ହୋଇ ଫେରିବ । ଏଭଳି ଏକ ଅଭିଯାନ ଆରମ୍ଭ କରିଛି ଜୟପୁର ପୌରପାଳିକା ।

ସହରର ଗଳି କନ୍ଦିରୁ ବାହାରୁ ଥିବା ଅଳିଆ ଆବର୍ଜନା ଆଉ ଖୋଲାରେ ଗଦା ହେବ ନାହିଁ କି ସହରକୁ ଦୁର୍ଗନ୍ଧ କରିବ ନାହିଁ । ଏଥିପାଇଁ ଜୟପୁର ପୌରପାଳିକା ପ୍ରସ୍ତୁତ କରିଛି ମାଇକ୍ରୋ କମ୍ପୋଷ୍ଟିଂ ସେଂଟର । ଆଉ ସେଟଂର ଭିତରେ ନିଯୁକ୍ତି ପାଇଛନ୍ତି ସ୍ୱୟଂ ସହାୟକ ଗୋଷ୍ଟିର ମହିଳାମାନେ । ଗଦା ହୋଇ ରହିଥିବା ଅଳିଆ ଆବର୍ଜନାରୁ କିଏ ଓଦା ଓ ସୁଖିଲାକୁ ଅଲଗା କରୁଛି ତ କିଏ ପ୍ଳାଷ୍ଟିକ ସାମଗ୍ରୀକୁ ଅଲଗା କରୁଛି । ଆଉ କିଏ ଖତ ପ୍ୟାକେଟ ପ୍ରସ୍ତୁତ କରୁଛି । ଏମାନଙ୍କୁ ପୌରପାଳିକା ଦେଇଛି ରୋଜଗାର । ଅଳ୍ପ ସମୟ ଦେଇ ଭଲ ରୋଜଗାର କରିପାରୁଛନ୍ତି ଏହି ମହିଳା ମାନେ ।

ଆଦାୟ ହେଉଥିବା ଅଳିଆ ଆବର୍ଜନାରୁ ପ୍ଳାଷ୍ଟିକ ପଦାର୍ଥକୁ ଅଲଗା କରି ବସ୍ତାରେ ଭର୍ତି କରି ବାହାରକୁ ବିକ୍ରୀ ପାଇଁ ପଠାଯାଏ । ଆଉ ଓଦା ଅଳିଆ ଯାହାକି କଚାଂ ପନିପରିବା ଚୋପା ଠାରୁ ଆରମ୍ବ କରି ବଳକା ରହିଥିବା ଖାଦ୍ୟପଦାର୍ଥକୁ ମେସିନ ସାହାଯ୍ୟରେ ଛୋଟ ଛୋଟ ଖଣ୍ଡ କରି କୁଣ୍ଡରେ ପକାଇ ଦିଆଯାଏ, ସେହି କୁଣ୍ଡରେ ୭ ଦିନ ରହି କମ୍ପୋଷ୍ଟ କରାଯାଏ ପରେ ତାକୁ ପଦାରେ ଶୁଖାଇ ପୁଣି ମେସିନ ସାହାଯ୍ୟରେ ପାଉଡ଼ର କରି ପ୍ୟାକେଟିଂ କରାଯାଇ ବିକ୍ରୀ ପାଇଁ ପ୍ରସ୍ତୁତ କରାଯାଏ ।

ଏହି କାମରେ ଅନେକ ମହିଳା ଓ ଯୁବକ ମଧ୍ୟ ନିଯୁକ୍ତି ପାଇ ପାରିଛନ୍ତି । ପୁର୍ବରୁ ସହରରୁ ବାହାରୁଥିବା ଅଳିଆ ଆବର୍ଜନାକୁ କୌଣସି ଏକ ରାସ୍ତା କଡ଼ରେ ଢ଼ଳା ଯାଉଥିଲା ଯାହାଫଳରେ ପ୍ରଦୂଷଣ ବଢ଼ୁଥିଲା, । ଆଉ ଗୀନ ଟ୍ରୀବୁନାଲ ତରଫରୁ ପୌରପାଳିକାଠାରୁ ମୋଟା ଅଙ୍କର ଅର୍ଥ ମଧ୍ୟ ଆଦାୟ ହେଉଥିଲା ବୋଲି ପୌରପାଳିକାର ସାନିଟାଇଜ ଏକ୍ସପୋର୍ଟ କହିଛନ୍ତି । ତେବେ ପୌରପାଳିକାର ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି ଜିଲ୍ଳାବାସୀ ।