୩ ଭରି ଓଜନର ସୁନା ପାଇ ଫେରାଇଲେ ମହିଳା । ତେଣ୍ଡାକୁଡା ପଞ୍ଚାୟତର ରେଣୁବାଳା ନାୟକଙ୍କୁ ପ୍ରଶଂସା

84

କନକ ବ୍ୟୁରୋ : ମାତ୍ର ଟଙ୍କା କେଇଟା ପାଇଁ ଜଣେ ଅନ୍ୟ ଜଣଙ୍କୁ ମାରିବାକୁ ପଛାଉ ନଥିବାବେଳେ, ମଣିଷ ପଣିଆର ନିଛକ ଉଦାହରଣ ଦେଖାଇଛନ୍ତି, ଗରଦପୁର ବ୍ଲକ ତେଣ୍ଡାକୁଡା ପଂଚାୟତର ବିନ୍ଧା ଗ୍ରାମର ରେଣୁବାଳା ନାୟକ । ୩ ଭରି ଓଜନର ସୁନା ପାଇ ମଧ୍ୟ ତାକୁ ଫେରାଇ ଦେଇଛନ୍ତି । ସୂଚନା ଅନୁସାରେ ତେଣ୍ଡାକୁଡା ପଂଚାୟତ ଅରାବଳ ଗାଁର ଆଶିଷ କୁମାର ଲେଙ୍କା, ରବିବାର ସନ୍ଧ୍ୟା ୫ଟାରେ ତାଙ୍କ ଭଉଣୀର ଗୋଟିଏ ମଙ୍ଗଳସୂତ୍ର ଓ ଦୁଇଟି କାନଫୁଲକୁ ମିଶାଇ ପ୍ରାୟ ୩ ଭରି ଓଜନର ସୁନା ଗହଣାର ମରାମତି ପାଇଁ, ବିଲହାଟ ବଜାରକୁ ଯାଉଥିଲେ ।

ବାଟରେ ଯିବା ସମୟରେ ତାଙ୍କର ପ୍ୟାଂଟ୍ ପକେଟରୁ ସୁନା ରଖିଥିବା ପର୍ସଟି ଖସିପଡିଥିଲା । ଆଶିଷ ବହୁତ ଖୋଜା ଖୋଜି କରିବା ପରେ ମଧ୍ୟ ହଜିଯାଇଥିବା ସୁନା ନମିଳିବାରୁ ମନ ଦୁଖରେ ଘରକୁ ଫେରିଥିଲେ । ସେଇ ରାସ୍ତା ଦେଇ ବିନ୍ଧା ଗ୍ରାମର ରେଣୁବାଳା ନାୟକ ଏବଂ ତାଙ୍କର ପୁଅ ମାନସ ନାୟକ ବିଲହାଟ ବଜାରକୁ ଔଷଧ ପାଇଁ ଯିବା ସମୟରେ ସେହି ପର୍ସଟି ପାଇଥିଲେ ।

ସୁନା ହଜିବା ନେଇ ସୋସିଆଲ ମିଡିଆରେ ଜଣେ ସ୍ଥାନୀୟ ଯୁବକ ପୋଷ୍ଟ କରିଥିଲେ । ସୋସିଆଲ ମିଡିଆରେ ଏହା ଦେଖିବା ପରେ ରେଣୁବାଳାଙ୍କ ସହ ଯୋଗାଯୋଗ କରିଥିଲେ ଆଶିଷ୍ । ଶେଷରେ ଗ୍ରାମବାସୀଙ୍କ ଉପସ୍ଥିତିରେ ଆଶିଷଙ୍କୁ ସମସ୍ତ ସୁନା ଫେରାଇଥିଲେ ରେଣୁବାଳା । ରେଣୁବାଳାଙ୍କ ଏହି ମହତ କାର୍ଯ୍ୟ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।