କୋଭିସିଲ୍ଡ ଟିକା ନେଇଛନ୍ତି କି? ଏଣିକି ୬ରୁ ୮ ସପ୍ତାହ ନୁହେଁ, ଜାଣନ୍ତୁ ଦ୍ୱିତୀୟ ଡୋଜ ଟିକା ନେବାକୁ ଆପଣଙ୍କୁ ଅପେକ୍ଷା କରିବାକୁ ପଡିପାରେ କେତେ ଦିନ?

248

କନକ ବ୍ୟୁରୋ : ଲକ୍ଷ ଲକ୍ଷ ଲୋକ କୋଭିଡ୍ ଟିକାର ପ୍ରଥମ ଡୋଜ୍ ନେଇ ଦ୍ୱିତୀୟ ଡୋଜ୍ ନେବାକୁ ଅପେକ୍ଷା କରିଛନ୍ତି । କିନ୍ତୁ ଟିକା ଅଭାବ ଯୋଗୁଁ ସମସ୍ତଙ୍କୁ ଟିକା ଦେବା ସମ୍ଭବ ହୋଇପାରୁନାହିଁ । ଦେଶର ବିଭିନ୍ନ ସ୍ଥାନରୁ ଆସିବାରେ ଲାଗିଛି ଟିକା ପାଇଁ ଲୋକମାନେ ବିକଳ ହେଉଥିବାର ଚିତ୍ର । ଶୀଘ୍ର ଟିକାର ଦ୍ୱିତୀୟ ଡୋଜ୍ ନନେଲେ ପ୍ରଥମ ଡୋଜ୍ ମୂଲ୍ୟହୀନ ହୋଇଯିବା ବୋଲି ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି । ଏଭଳି ସମୟରେ କୋଭିଡ୍ ଟିକାର ଦୁଇଟି ଡୋଜ୍ ମଧ୍ୟରେ ୧୨ରୁ ୧୬ ସପ୍ତାହ ବ୍ୟବଧାନ ବଢ଼ାଇବାକୁ ପ୍ରସ୍ତାବ ଦେଇଛି ଏନଟିଜିଆଇ ।

କୋଭିସିଲଡ଼ ଟିକାର ଦୁଇଟି ଡୋଜ ଭିତରେ ବ୍ୟବଧାନ ବଢାଇବାକୁ ପ୍ରସ୍ତାବ ଦେଇଛି ଏନଟିଏଜିଆଇ ବା ଦ ନ୍ୟାସନାଲ ଟେକ୍ନିକାଲ ଆଡ଼ଭାଇଜରି ଗ୍ରୁପ ଅନ ଇମ୍ୟୁନାଇଜେସନ। ସେରମ କମ୍ପାନୀ ଦ୍ଵାରା ପ୍ରସ୍ତୁତ କୋଭିସିଲଡ଼ ଟିକାର ଦୁଇଟି ଡୋଜ ମଧ୍ୟରେ ୧୨ରୁ ୧୬ ସପ୍ତାହ ବ୍ୟବଧାନ କରିବା ଲାଗି ଗୁରୁବାର ଦିନ ଏହି ପ୍ରସ୍ତାବ ଦିଆଯାଇଛି। ପୂର୍ବରୁ ଏହି ବ୍ୟବଧାନ ୬ରୁ ୮ ସପ୍ତାହ ଥିଲା। ଏହି ପ୍ରସ୍ତାବକୁ ଅନୁମତି ପାଇଁ ଏହାକୁ ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ ଅନ ଭ୍ୟାକସିନ ଆଡ଼ମିନିଷ୍ଟ୍ରେସନ ନିକଟକୁ ପଠାଇ ଦିଆଯିବ। ତେବେ କୋଭାକ୍ସିନ ଟିକା କ୍ଷେତ୍ରରେ ବ୍ୟବଧାନ ବଢ଼ାଇବା ପାଇଁ କୌଣସି ସୁପାରିଶ କରାଯାଇନାହିଁ।

ଗତ ତିନି ମାସ ଭିତରେ ଦ୍ଵିତୀୟ ଥର ପାଇଁ କୋଭିସିଲଡ଼ ଟିକାର ଦୁଇଟି ଡୋଜ ମଧ୍ୟରେ ବ୍ୟବଧାନ ସମୟକୁ ପରିବର୍ତ୍ତନ କରାଯାଇଛି। ମାର୍ଚ୍ଚ ମାସରେ ଏହି ବ୍ୟବଧାନକୁ ୬ରୁ ୮ସପ୍ତାହ କରିବାକୁ ନିର୍ଦେଶ ଦିଆଯାଇଥିଲା। କେବଳ ଏତିକି ନୁହେଁ ଗର୍ଭବତୀ ମହିଳାମାନେ ନିଜ ପସନ୍ଦ ମୁତାବକ ଯେକୌଣସି କୋଭିଡ ୧୯ଟିକା ବାଛି ନେଇପାରିବେ। ପ୍ରସବ କରିବା ପରେ ପରେ ସ୍ତନ୍ୟଦାତ୍ରୀ ମହିଳାମାନେ ମଧ୍ୟ ଯେକୌଣସି ଦିନ ଏହି ଟିକା ନେଇପାରିବେ ବୋଲି ପ୍ରସ୍ତାବ ଦେଇଛି ଦ ନ୍ୟାସନାଲ ଟେକ୍ନିକାଲ ଆଡ଼ଭାଇଜରି ଗ୍ରୁପ ଅନ ଇମ୍ୟୁନାଇଜେସନ। ଏବେ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ଟୀକାକରଣ ମନା ହୋଇଛି।

ଦୁଇ ଡୋଜ ମଧ୍ୟରେ ବ୍ୟବଧାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରସ ନେତା ଜୟରାମ ରମେଶ। ପ୍ରଥମେ ଏହି ବ୍ୟବଧାନ ୬ରୁ ୮ ସପ୍ତାହ ଥିଲା ଏବେ ୧୨ରୁ ୧୬ ସପ୍ତାହ କରିବାକୁ ପ୍ରସ୍ତାବ ଦିଆଯାଇଛି। ତେବେ ଏହା ବିଶେଷଜ୍ଞଙ୍କ ପରାମର୍ଶ ନା ଦେଶରେ ଟିକାର ଅଭାବ ଯୋଗୁଁ ଏପରି କରାଯାଉଛି ବୋଲି କହିଛନ୍ତି ଜୟରାମ ରମେଶ। ଗୋଟିଏ ପଟେ ଦେଶରେ ଟୀକାକରଣ ଚାଲିଥିବା ବେଳେ ଅନ୍ୟପଟେ ଅନେକ ସ୍ଥାନରୁ ଟିକା ଅଭାବ ନେଇ ଖବର ଆସିଛି। ଏହାରି ଭିତରେ କୋଭିଡ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି କେବେ ଟିକା ନେବା ଉଚିତ ସେ ନେଇ ମଧ୍ୟ ବିଶେଷଜ୍ଞ କମିଟି ପ୍ରସ୍ତାବ ଦେଇଛି। ସଂକ୍ରମଣରୁ ସୁସ୍ଥ ହେବାର ୬ ମାସ ପରେ ଟିକା ନେବା ଉଚିତ ବୋଲି ଏନଟିଏଜିଆଇ ପରାମର୍ଶ ଦେଇଛି। ତେବେ ଏନଟିଏଜିଆଇଟ ପ୍ରସ୍ତାବକୁ ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ ଅନ ଭ୍ୟାକସିନ ଆଡ଼ମିନିଷ୍ଟ୍ରେସନର ଅନୁମତି ପରେ ଏହାକୁ ଲାଗୁ କରାଯିବ।