କୋଭିସିଲ୍ଡ ଟିକା ପାଇଁ ଆସିଲା ନୂଆ ଗାଇଡଲାଇନ : ପ୍ରଥମ ଡୋଜ୍ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ସପ୍ତାହ

179

କନକ ବ୍ୟୁରୋ : କୋଭିସିଲ୍ଡ ଟିକା ପାଇଁ ଆସିଲା ନୂଆ ଗାଇଡଲାଇନ । ସବୁ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ଗାଇଡଲାଇନ ନେଇ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି । ପ୍ରଥମ ଡୋଜ ନେବାର ୮୪ଦିନ ପରେ ଦ୍ୱିତୀୟ ଡୋଜ ନେଇପାରିବେ । ପ୍ରଥମ ଡୋଜ ନେବାର ୧୨ ସପ୍ତାହ ବା ୮୪ଦିନ ଭିତରେ ଅନଲାଇନ ସ୍ଲଟ ବୁକିଂ ହୋଇପାରିବ ନାହିଁ । ତେବେ ପ୍ରଥମରୁ କୋୱିନରେ ସ୍ଲଟ ବୁକିଂ ହୋଇଥିଲେ ତାକୁ ବାତିଲ କରିବ ନାହିଁ କୋୱିନ । ତେଣୁ ପ୍ରଥମ ଡୋଜ ନେବାର ୮୪ଦିନ ପରେ ଦ୍ୱିତୀୟ ଡୋଜ ନେବାକୁ କୁହାଯିବା ସହ ସ୍ଲଟକୁ ରିସିଡ୍ୟୁଲ କରିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି ।

ତେବେ ଟିକା ନେଇଥିବା ବ୍ୟକ୍ତି ଜଣକ ଯଦି ୮୪ଦିନ ପୁରିବା ପୂର୍ବରୁ ସ୍ଲଟ ବୁକିଂ କରିଥିବେ ତେବେ ସେ ଚାହିଁଲେ ସେହି ସିଡ୍ୟୁଲ ଅନୁଯାୟୀ ଟିକା ନେଇପାରିବେ । ଏହି ନୂଆ ନିୟମ ଅନୁସାରେ ଆଉ ଦ୍ୱିତୀୟ ଡୋଜ ନେବାକୁ ଭିଡ ହେବନାହିଁ । ଏଭଳି କ୍ଷେତ୍ରରେ ଏବେ ପ୍ରଥମ ଡୋଜ ନେବାକୁ ଥିବା ବ୍ୟକ୍ତିଙ୍କୁ ଅଗ୍ରାଧିକାର ଦିଆଯିବ । କୋଭିସିଲ୍ଡ ଟିକାର ଦୁଇଟି ଡୋଜ ମଧ୍ୟରେ ବ୍ୟବଧାନ ବଢାଇବା ନେଇ ଗୁରୁବାର ଘୋଷଣା ହୋଇଥିଲା । ୧୨ରୁୁ୧୬ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍ ନେବା ନେଇ ହୋଇଥିଲା ଘୋଷଣା ।