କନକ ବ୍ୟୁରୋ: ଦାମୀ କାରରେ ଗଞ୍ଜେଇ ଚାଲାଣବେଳେ କାର ସହ ୮ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଦିଲ୍ଲୀ ନମ୍ବର ପ୍ଲେଟ ଲାଗିଥିବା ହୋଣ୍ଡାସିଟି କାରରେ ଗଞ୍ଜେଇ ଚାଲାଣ ହେଉଥିଲା । ଗାଡ଼ିରେ ଦିଲ୍ଲୀ ଟ୍ରାଫିକ ପୋଲିସ ହେଡ଼କ୍ୱାର୍ଟର ମଧ୍ୟ ଲେଖାଯାଇଥିଲା । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି ।
ମୁନିଗୁଡ଼ାର ଏକ କାଫେ ଆଗରେ ଦୀର୍ଘ ସମୟ ଧରି ଏକ ହୋଣ୍ଡାସିଟି କାର ଠିଆ ହୋଇ ରହିଥିବା ବେଳେ ଖବର ପାଇ ମୁନିଗୁଡ଼ା ପୋଲିସ ସେଠାରେ ପହଂଚିଥିଲା । କାରରେ ଗଞ୍ଜେଇ ଥିବା ନେଇ ସନ୍ଦେହ କରି କାରଟିକୁ ଯାଞ୍ଚ କରିଥିଲେ । ହେଲେ ସେହି ଗାଡ଼ି ନେବା ପାଇଁ ସେଠାରେ ୨ ଜଣ ପହଞ୍ଚିବା ପରେ ପୋଲିସ ସେମାନଙ୍କୁ କାବୁ କରିଥିଲା । ଯାଞ୍ଚ ବେଳେ ଗାଡ଼ିରୁ ୪ ବସ୍ତା ଗଞ୍ଜେଇ ଜବତ କରାଯାଇଥିଲା । ଗିରଫ ଦୁଇ ଜଣ ହେଲେ କେରଳ ମାଲାପୁରାମ ଅଞ୍ଚଳର ମହମ୍ମଦ ଫେଇଜ ଓ ମହମ୍ମଦ ସୁହେଲ କେକେ । ଗଞ୍ଜେଇ ବାଲିଗୁଡ଼ାରୁ କେରଳ ଚାଲାଣ ହେଉଥିବା ଓ ଏଥିରେ ବାଲିଗୁଡ଼ା ଅଞ୍ଚଳର ବିଶ୍ୱନାଥ ପୂଜାରୀଙ୍କ ସମ୍ପୃକ୍ତି ଥିବା ଜାଣିବା ପରେ ମୁନିଗୁଡ଼ା ପୋଲିସ ବିଶ୍ୱନାଥଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।