ଗଞ୍ଜେଇ ଚାଲାଣର ନୂଆ ତରିକା : ଉପରେ କୋଇଲା, ତଳେ ଟନ୍ ଟନ୍ ଗଞ୍ଜେଇ

237

କନକ ବ୍ୟୁରୋ : ଗଞ୍ଜେଇ ଚାଲାଣର ନୂଆ ତରିକା । ଉପରେ କୋଇଲା, ତଳେ ଟନ୍ ଟନ୍ ଗଂଜେଇ । ଟ୍ରକରେ ଏଭଳି ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ଚଢାଉ କରି ୨ ଟନ୍ ୩ କୁଇଂଟାଲ ଗଞ୍ଜେଇ ଜବତ କରିଛି ପୋଲିସ । ଜବତ ଗଞ୍ଜେଇର ମୂଲ୍ୟ ଅଢେଇ କୋଟିରୁ ଅଧିକ ହେବ ବୋଲି ପୋଲିସ ସୂଚନା ଦେଇଛି । ବିଶେଷ ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ଥାନାର ଏସଆଇ କେ.ସାହୁଙ୍କ ନେତୃତ୍ବରେ ଏକ ଟିମ ଚିତ୍ରକୋଣ୍ଡା ନିକଟରେ ଗାଡିଗୁଡିକକୁ ଯାଞ୍ଚ କରୁଥିବା ବେଳେ ଏକ କୋଇଲା ବୋଝେଇ ଟ୍ରକକୁ ମଧ୍ୟ ଯାଞ୍ଚ କରିଥିଲେ । ସିଜି-୦୭-୮୫-୨୫୬୪ ନମ୍ବର ବିଶିଷ୍ଟ ଏକ କୋଇଲା ବୋଝେଇ ଟ୍ରକକୁ ଅଟକାଇ ପୁଲିସ ଯାଞ୍ଚ କରିଥିଲା। ଟ୍ରକରେ ଗଞ୍ଜେଇ ଏପରି ରଖାଯାଇଥିଲା ଯେ ତାହାକୁ ହଠାତ ଠଉରାଇବା ସମ୍ଭବ ହେଉନଥିଲା । କିନ୍ତୁ ପୁଲିସକୁ ପକ୍କା ଖବର ମିଳିଥିବାରୁ ଗୁଣ୍ଡ କୋଇଲାକୁ ଟ୍ରକରୁ ଅଲଗା କରିବା ପରେ ମଝିରେ ୯୪ ପ୍ୟାକେଟ ଗଂଜେଇ ରଖାଯାଇଥିବା ପୁଲିସ ଦେଖିବାକୁ ପାଇଥିଲା।

ପୁୁଲିସ ଗଞ୍ଜେଇକୁ ଜବତ କରିବା ସହ  ଏହି ଟ୍ରକରେ ବସିଥିବା ୩ ଜଣଙ୍କୁ ଗିରଫ କରିଥିଲା । ଏହି ଗଂଜେଇ ପ୍ୟାକେଟକୁ ଓଜନ କରିବା ପରେ ମୋଟ ୨୨୫୬ କିଲୋ ଗଂଜେଇ ଥିବା ଜଣାପଡିଥିଲା । ଏହି ଗଂଜେଇକୁ ଚିତ୍ରକୋଣ୍ଡା ଅଂଚଳରୁ ବାହାର ରାଜ୍ୟକୁ ରପ୍ତାନି କରାଯାଉଥିଲା। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଉତ୍ତରପ୍ରଦେଶ ଅଂଚଳର ପବନ କୁମାର ପାଣ୍ଡେ, ଅମରଜିତ ଯାଦବ ଏବଂ  କ୍ରିଷ୍ଣା ଯାଦବ । ଏମାନଙ୍କ ଠାରୁ ୩ଟି ମୋବାଇଲ ଫୋନ ସହ ଅନ୍ୟ ସାମଗ୍ରୀ ଜବତ କରାଯାଇଥିବା ଏସଡିପିଓ ଅଂଶୁମାନ ଦ୍ବିବେଦୀ ପ୍ରକାଶ କରିଛନ୍ତି । ଅଭିଯୁକ୍ତମାନେ ଧରା ନ ପଡିବା ପାଇଁ ଟ୍ରକ ଡାଲାରେ ପ୍ରଥମେ ଗଞ୍ଜେଇ ରଖିବା ପରେ ଉପରେ କିଛି କୋଇଲା ପକାଇ ଚାଲାଣ କରୁଥିଲେ । ଏତେ ପରିମାଣର ଗଞ୍ଜେଇ ଜବତ ହେବା ପରେ ଏହି କାରବାର ଆଉ କେଉଁମାନଙ୍କର ସମ୍ପୃକ୍ତି ଅଛି ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।