୧୦ହଜାରରୁ ଅଧିକ ଗଞ୍ଜେଇ ଗଛକୁ ପୋଡି଼ଲା ପ୍ରଶାସନ ।ନବରଙ୍ଗପୁର ରାଇଘରରେ ଚାଲିଥିଲା ବେଆଇନ ଗଂଜେଇ ଚାଷ, ଆନୁମାନିକ ମୂଲ୍ୟ ଏକ କୋଟିରୁ ଅଧିକ

170

କନକ ବ୍ୟୁରୋ : ମକା ଓ ପନିପରିବା ଚାଷ ଭିତରେ ହୋଇଥିଲା ଚୋରା ଗଂଜେଇ ଚାଷ । ୧୦ହଜାରରୁ ଅଧିକ ଗଂଜେଇ ଗଛକୁ ପୋଡ଼ିଦେଲା ଜିଲ୍ଲା ପ୍ରଶାସନ । ଏହାର ଅନୁମାନିକ ମୂଲ୍ୟ ୧କୋଟିରୁ ଅଧିକ ଟଙ୍କା ହେବ । ନବରଙ୍ଗପୁର ଜିଲ୍ଲା ରାଇଘରର ଧୁଙ୍ଗିଆଡିହୀ ଗାଁ ନିକଟ ରାସ୍ତା କଡରେ ପ୍ରାୟ ୭ ଏକର ଜଂଗଲ ଓ ସରକାରୀ ଜମି ମଧ୍ୟରେ ମକା ଓ ପନିପରିବାର ଗଛ ଭିତରେ ବେଆଇନ ଗଂଜେଇ ଚାଷ ହୋଇଥିଲା । ଖବର ପାଇ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକାଙ୍କ ସହ ରାଇଘର ତହସିଲଦାର, ଉମରକୋଟ ଉପଖଣ୍ଡ ପୋଲିସ ଅଧିକାରୀ, କୁନ୍ଦେଇ ଥାନା ଅଧିକାରୀ, ଆଇଆରବିଏନ ଓ ଡିଭିଏଫ ଫୋର୍ସ ମିଳିତ ଭାବେ ଚଢ଼ାଉ କରି ଗଂଜେଇ ଗଛରେ ନିଆଁ ଲଗାଇ ଦେଇଛନ୍ତି । ପ୍ରାୟ ୭ ଏକର ଜମିରେ ଲାଗିଥିବା ୧୦ହଜାରରୁ ଅଧିକ ଗଛ ଉପାଡ଼ିବା ସହ ପେଟ୍ରୋଲ ଢାଳି ନିଆଁ ଲଗାଇ ନଷ୍ଟ କରିଛନ୍ତି । ନଷ୍ଟ ହୋଇ ଥିବା ଗଞ୍ଜେଇର ମୁଲ୍ୟ ୧ କୋଟିରୁ ଅଧିକ ଟଙ୍କା ହେବ ବୋଲି ପୋଲିସ ଅଧିକାରୀ ପ୍ରଶାନ୍ତ କୁମାର ସେଠୀ କହିଛନ୍ତି । ଛତିଶଗଡ଼ ସୀମା ପର୍ଯ୍ୟନ୍ତ ଲାଗିଥିବା ଏହିି ଅଂଚଳରେ ଅନ୍ୟ ସ୍ଥାନରେ ମଧ୍ୟ ଏଭଳି ଗଞ୍ଜେଇ ଚାଷ କରା ଯାଇଥିବା ଆଶଙ୍କାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ଏହିି ମାସରେ ଏହା ଦ୍ୱିତୀୟ ଘଟଣା ହୋଇଛି    । କୁନ୍ଦେଇ ଥାନାରେ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ପୁଲିସ ।