ପରିବା ବଗିଚା ଜାଗାରେ ଗଂଜେଇ ଚାଷ । ସବୁଜ ଜହରକୁ ବେଆଇନ ଜାଣି ବି ଘରେ ଘରେ ହେଉଛି ସବୁଜ ଜହର ଚାଷ, ପ୍ରଶାସନ କଟକଣାର ଫାଇଦା ନେଉଛନ୍ତିି ଦଲାଲ ।

438

କନକ ବ୍ୟୁରୋ : ଓଡିଶାରେ ଆଜି ବି ଏମିତି ଗାଁ ଅଛି, ଯେଉଁଠି ଘରେ ଘରେ ହୁଏ ଗଂଜେଇ ଚାଷ । ପନି ପରିବା ବଦଳରେ ସମସ୍ତଙ୍କ ବାରିରେ ହୁଏ ଗଂଜେଇ ଚାଷ । ଏମିତି କିଛି ଚିତ୍ର ସାମ୍ନାକୁ ଆସିଛି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳରୁ । ଗୁରୁପ୍ରୀୟା ସେତୁ ନିକଟ ସ୍ୱାଭିମାନ ଅଂଚଳର ଅଧିକାଂଶ ଗାଁରେ ଦେଖିବାକୁ ମିଳିଛି ସମାନ ଚିତ୍ର । ଶାଗ କିଆରି ଭଳି ଗଂଜେଇ କ୍ଷେତର ଯତ୍ନ ନେଉଛନ୍ତି ଘରର ମହିଳା ଓ ପୁରୁଷ । ବର୍ଷ ବର୍ଷ ଧରି ଗଂଜେଇ ଚାଷ କରି ପେଟ ପୋଷୁଛନ୍ତି ସ୍ୱାଭିମାନ ଅଂଚଳର ୧୦୦ରୁ ଅଧିକ ଗ୍ରାମବାସୀ । ଆଉ ଏବେ ଗଂଜେଇ ଅମଳ ସମୟ ହୋଇଥିବାରୁ ପ୍ରାୟ ସବୁ ଗାଁରେ ସମାନ ଚିତ୍ର ଦେଖିବାକୁ ପାଇଥିଲେ ଆମ ପ୍ରତିନିଧି । କିଏ ଗଂଜେଇ ଗଛରେ ପାଣି ଦେଉଛି ତ ଆଉ କିଏ ଗଛକୁ କାଟି ଡାଳରୁ ପତ୍ରକୁ ଅଲଗା କରୁଛନ୍ତି । ଅଧିକାଂଶ ଘରେ ଅମଳ ହୋଇଥିବା ଗଂଜେଇ ପତ୍ର ଓ ମଂଜିକୁ ଅଲଗା କରି ସୁଖା ହୋଇଥିବା ଚିତ୍ର ଆମ କ୍ୟାମେରା କଏଦ କରିଛି ।

ଗଞ୍ଜେଇ ଚାଷ ବେଆଇନ ହୋଇଥିବାରୁ ଏହାର ଫାଇଦା ଉଠାଉଛନ୍ତି ଗଂଜେଇ ମାଫିଆ । ସ୍ୱାଭିମାନି ମଣିଷ ପୋଲିସ ଓ ଅବକାରୀ ବିଭାଗକୁ ଡରି ଡରି ସବୁଜ ଜହର ଚାଷ କରୁଥିବା ବେଳେ ଲାଭ ପାଉଛନ୍ତି ଦଲାଲ । ଜାତୀୟ ବଜାରରେ ଉନ୍ନତ କିସମ ଗଞ୍ଜେଇର ମୂଲ୍ୟ କିଲୋ ପ୍ରତି ୮ରୁ ୧୦ ହଜାର ଟଙ୍କା ଥିବା ବେଳେ ଚାଷୀ ପାଆନ୍ତି ୬ଶହରୁ ୮ଶହ ଟଙ୍କା । ଅନେକ ସମୟରେ ଗଞ୍ଜେଇ ମାଫିଆ ଟଙ୍କା ନଦେଇ ପଳାଇଥାନ୍ତି । ହେଲେ ଏହା ବେଆଇନ ଚାଷ ହୋଇଥିବାରୁ ଚାଷୀ କାହା ପାଖରେ ଅଭିଯୋଗ କରିନଥାନ୍ତି । ତେବେ ପେଟପାଟଣା ପାଇଁ ଏହି ଚାଷ ଉପରେ ନିର୍ଭର କରୁଥିବା ସ୍ୱାଭିମାନ ଅଂଚଳର ଚାଷୀ ଅନ୍ୟ ଚାଷ ପରି ଗଂଜେଇ ଚାଷକୁ ସରକାରୀ ମାନ୍ୟତା ପାଇଁ ଦାବି କରିଛନ୍ତି ।

ଗଂଜେଇର ଔଷଧୀୟ ଗୁଣ ଓ ବ୍ୟବହାର ଉପରେ ବିଶ୍ୱରେ ଭିନ୍ନ ଭିନ୍ନ ଦେଶରେ ଭିନ୍ନ ଆଭିମୁଖ୍ୟ ରହିଛି । କାନାଡା, ଉରୁଗୁଏ, ଦକ୍ଷିଣ ଆଫ୍ରିକା, କଲମ୍ବିଆ ପରି ରାଷ୍ଟ୍ରରେ ଗଂଜେଇ ଚାଷ ସମ୍ପୂର୍ଣ୍ଣ ଆଇନ ସମ୍ମତ । ସେହିପରି ଆର୍ଜେଣ୍ଟିନା, ଚୀନ୍, ଜର୍ମାନୀ, ଗ୍ରୀସ, ଇଟାଲି, ଜମାଇକା ସହ ଆମେରିକର ୩୩ଟି ରାଜ୍ୟରେ ଗଂଜେଇର ଔଷଧୀୟ ବ୍ୟବହାରକୁ ମାନ୍ୟତା ମିଳିଛି । ଥାଇଲାଣ୍ଡ, ସ୍ୱିଜରଲାଣ୍ଡ, ପୋଲାଣ୍ଡ ପରି ଅନେକ ଦେଶରେ ଗଂଜେଇ ଚାଷ ଓ ବ୍ୟବହାର ଉପରେ କିଛି କଟକଣା ରହିଛି କିନ୍ତୁ ଏହା ଆଇନ ସମ୍ମତ ବୋଲି ସେଠାରେ କୁହାଯାଏ । ସେହିପରି ଭାରତରେ ସରାକାରୀ ଦୋକାନରେ ଭାଙ୍ଗ ବିକ୍ରି ହୁଏ, କିନ୍ତୁ ଗଂଜେଇ ଚାଷ ଏଠାରେ ବେଆଇନ ।