ଗଂଜାମର ଧନୁମୁଆଁର ରହିଛି ସ୍ୱତନ୍ତ୍ର ଚାହିଦା । ଧନୁସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଲାଗିଛି ଗ୍ରାହକଙ୍କ ଭିଡ

65

କନକ ବ୍ୟୁରୋ : କଟକ ଦହିବରା, ବ୍ରହ୍ମପୁର ମୁଢିମାଂସ ଭଳି ଗଂଜାମର ଧନୁମୁଆଁର ରହିଛି ସ୍ୱତନ୍ତ୍ର ଚାହିଦା । ରାଜ୍ୟ ତଥା ରାଜ୍ୟ ବାହାରେ ଏହାର ପ୍ରସିଦ୍ଧି ରହିଛି । ବ୍ରହ୍ମପୁର ସହରର ପ୍ରମୁଖ ରାସ୍ତାଠାରୁ ଗଳିକନ୍ଦି ସବୁଠି ଏବେ ଆରମ୍ଭ ହୋଇଯାଇଛି ଧନୁମୁଆଁର ପସରା । ଫାଷ୍ଟଗେଟରୁ ଗେଟ୍ ବଜାର ହେଉ ଅବା ସାନବଜାରରୁ ବଡବଜାର ସବୁଠି ଏବେ ଖୋଲିଯାଇଛି ଭଳିକି ଭଳି ମୁଆଁ ପସରା । କିଏ ନିଜ ବନ୍ଧୁବାନ୍ଧବ ତ ଆଉ କିଏ ସଂପର୍କୀୟଙ୍କ ଘରକୁ ପଠାଇବା ପାଇଁ ଏବେଠୁ ମୁଆଁ କିଣିବା ଆରମ୍ଭ କଲେଣି । ଧନୁସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ଧରି ପ୍ରତି ମନ୍ଦିର ଓ ଦେବାଳୟରେ ଠାକୁରଙ୍କୁ ମୁଆଁ ଭୋଗ ଲାଗି ହେବାର ପରମ୍ପରା ରହିଛି । ଏଥିପାଇଁ ନିଜ ମନମୁତାବକ ମୁଆଁ କିଣାରେ ଲାଗି ପଡିଛନ୍ତି ସହରବାସୀ ।

ଲୋକଙ୍କ ଚାହିଦାକୁ ଦେଖି ବଜାରରେ ଏବେ ଭଳିକିଭଳି ଫ୍ଲେଭରର ମୁଆଁ ପ୍ରସ୍ତୁତ ହୋଇ ବିକ୍ରି ପାଇଁ ଆସୁଛି । ଭିନ୍ନ ଭିନ୍ନ ଆକାର, ପ୍ରକାର ଓ ସ୍ୱାଦର ଘିଅ ମୁଆଁ ଓ ଚିନିମୁଆଁ ସେଥିିରେ କାଜୁ, ପିସ୍ତାବାଦାମ, ନଡିଆ ଖଣ୍ଡ, କିସମିସ ଓ ଚେରିରେ ସଜ୍ଜିତ କରି ବଜାରକୁ ଛଡା ଯାଉଥିବା ବେଳେ ଏସବୁ ଚାହିଦା ଏବେ ସବୁଠି ବଢିବାରେ ଲାଗିଛି । ପୁରାଣ କଥାବସ୍ତୁ ଅନୁସାରେ କ୍ଷେତର ପ୍ରଥମ ଅମଳ ଧାନରୁ ଲିଆ ପ୍ରସ୍ତୁତ କରିବା ପରେ ସେଥିରେ ମିଠାପାଗ ଦେଇ ମୁଆଁ ପ୍ରସ୍ତୁତ କରି ଠାକୁରଙ୍କ ପାଖରେ ପ୍ରଥମ ଭୋଗ ଲଗାଯାଇଥାଏ । ତାପରେ ଯାଇ ବନ୍ଧୁବାନ୍ଧବଙ୍କୁ ଉପହାରରେ ପ୍ରଦାନ କରାଯାଇଥାଏ । ଏହାର ମୂଲ୍ୟ ଦେଢ ଶହ ଟଙ୍କାରୁ ଆରମ୍ଭ ହୋଇ ୬୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଆଉ ଏହାକୁ ବ୍ୟବସାୟିକ ଭାବେ ଗ୍ରହଣ କରି ଉପକୃତ ହେଉଛନ୍ତି ବ୍ୟବସାୟୀ ।

ପୌଷମାସରୁ ଆରମ୍ଭ ହୋଇ ମାଘ ମାସ, ଫାଲଗୁନ ଓ ଆବଶ୍ୟକ ସ୍ଥଳେ ବୈଶାଖ ମାସର ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଏହି ମୁଆଁ କାରବାର ଚାଲିଥାଏ । ଗତ ଦୁଇବର୍ଷ ଧରି କରୋନା ଯୋଗୁଁ ଏହି କାରବାର ପ୍ରଭାବିତ ହୋଇଥିବାବେଳେ ଚଳିତ ବର୍ଷ ପୁଣି ବ୍ୟବସାୟ ସ୍ୱାଭାବିକ ହେବାର ଆଶା ରଖିଛନ୍ତି ବ୍ୟବସାୟୀ ।