ଗଞ୍ଜାମରେ କରୋନାକୁ ବଳିଗଲା ଥଣ୍ଡା ଜ୍ୱର ଆତଙ୍କ : ୨୦ ଦିନରେ ମେଡିକାଲ ନ ଆସି ଗଲାଣି ୨୭ରୁ ଅଧିକ ଜୀବନ; ପ୍ରଶାସନ ପାଖରେ ନାହିଁ ହିସାବ

478

କନକ ବ୍ୟୁରୋ  : କରୋନାର କଟକଣା ସମୟରେ ଗଂଜାମରେ କରୋନାକୁ ବଳିଗଲାଣି ଥଣ୍ଡା ଜ୍ୱର ।  ଡାକ୍ତରଖାନା ନଆସି ୨୦ ଦିନରେ ଗଲାଣି ୨୭ରୁ ଅଧିକ ଜୀବନ । କରୋନା ବର୍ତମାନ ଗଂଜାମ ଜିଲ୍ଲାର ସ୍ଥିତି ଦୋହଲାଇଦେଇଥିବା ବେଳେ ନିୟନ୍ତ୍ରଣ ଭିତରକୁ ଆସିପାରୁନି ସ୍ଥିତି । ଏପରି ସ୍ଥିତିରେ ଚିନ୍ତାବଢାଇଲାଣି ଥଣ୍ଡାଜ୍ୱର । ତାଲାବନ୍ଦର କଟକଣା ଭିତରେ ଲୋକେ ଜ୍ୱର, ଥଣ୍ଡାକାଶ ପରି ସାଧାରଣ ଲୋକଙ୍କୁ ମିଳିପାରୁନି ଉପଯୁକ୍ତ ସୁବିଧା । ଋତୁ ବଦଳୁଥିବାରୁ ଜ୍ୱର , ଥଣ୍ଡା ଆକ୍ରାନ୍ତ ସଂଖ୍ୟା ବି ବଢୁଛି । ଏପରି ସ୍ଥିତିରେ ଥଣ୍ଡା ଜ୍ୱରରେ ୨୭ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିବା ଉଦବେଗର ବିଷୟ ହୋଇଛି । ଏହି ମୃତକଙ୍କ ତାଲିକା ଡାକ୍ତରଖାନାରେ ନାହିଁ । ଏମାନେ ସନ୍ଦିଗ୍ଧ କୋଭିଡ୍ ମୃତକରେ ବି ଆସୁନାହାନ୍ତି । ବର୍ତମାନ କରୋନା ମହାମାରୀ ବ୍ୟାପିଥିବା ବେଳେ ଜ୍ୱର, ଥଣ୍ଡା ହେବା କ୍ଷଣି ଲୋକେ ଭୟରେ ଥରୁଛନ୍ତି । କରୋନା ଭାବି ଲୋକେ ଜ୍ୱର ଓ ଥଣ୍ଡାକୁ ଲୁଚାଉଛନ୍ତି । ଉପଯୁକ୍ତ ଚିକିତ୍ସା ପାଇନପାରି ଶେଷରେ ଜୀବନ ହରାଉଛନ୍ତି ଲୋକେ ।

ଅନ୍ୟପକ୍ଷରେ ବର୍ତ୍ତମାନ ଜିଲ୍ଲାରେ ପ୍ରତ୍ୟହ ଜ୍ବର, ଥଣ୍ଡା ,କାଶ ଆଦିରେ ଲୋକଙ୍କ ମୃତ୍ୟୁ ଘଟୁଛି। ଜ୍ବର, ଥଣ୍ଡା, କାଶରେ ଅଦ୍ୟାବଧି ଜିଲ୍ଲାରେ କେତେଜଣଙ୍କ ମୃତ୍ୟୁ ଘଟିଛି ତାହା ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରୁନାହିଁ । ଗତ କିଛି ଦିନ ତଳେ ଜିଲ୍ଲାପାଳ ସମସ୍ତ ବିଡିଓ ଓ ତହସିଲଦାରମାନଙ୍କୁ ଏକ ଚିଠି ଲେଖି ଜିଲ୍ଲାରେ ଯେ କୌଣସି ମୃତ୍ୟୁ ଘଟିଲେ ଜିଲ୍ଲା ପ୍ରଶାସନ ନଜରକୁ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ପ୍ରତି ଗ୍ରାମରେ ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀ ରହିଛନ୍ତି । ପ୍ରତ୍ୟହ ଜିଲାରେ କେତେ ଜଣଙ୍କ ମୃତ୍ୟୁ ଘଟୁଛି ସେମାନଙ୍କ ଦ୍ବାରା ପ୍ରଶାସନ ତଥ୍ୟ ହାସଲ କରିପାରିବ । କିନ୍ତୁ ପ୍ରଶାସନ ବଦନାମ ହେବା ଭୟରେ ଜ୍ବର, ଥଣ୍ଡା ଓ କାଶ ଜନିତ ମୃତ୍ୟୁ ଲୁଚାଇଥିବା ଅଭିଯୋଗ ହେଉଛି ।