ସଂକ୍ରମଣ ଏଡାଇବାକୁ ସତର୍କ ହେଲା ଗଞ୍ଜାମ । ଜିଲ୍ଲାକୁ ଫେରିଲେ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ।

158

କନକ ବ୍ୟୁରୋ: କରୋନା ସଂକ୍ରମଣ ଏଡାଇବାକୁ ସତର୍କ ହେଲା ଗଞ୍ଜାମ ପ୍ରଶାସନ । ଜିଲ୍ଲାକୁ ଫେରିଲେ ଏଣିକି ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ । ଏହାସହ ସୁରଟ ଓ ମୁମ୍ବାଇରୁ ଫେରିଲେ ରହିବେ ସଙ୍ଗରୋଧରେ । ୭ ଦିନ ଗୃହ ସଙ୍ଗରୋଧରେ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଦଣ୍ଡନାଚ ପାଇଁ ପ୍ରବାସୀ ଫେରିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଜିଲ୍ଲାପାଳ ।

ପ୍ରବାସୀ ଫେରିଲେ ସଂକ୍ରମଣ ବଢିବାର ସମ୍ଭାବନା ରହିଛି । ସଂକ୍ରମଣ ପାଇଁ ପ୍ରବାସୀଙ୍କୁ ନଆସିବାକୁ ଅପିଲ କଲେ ଜିଲ୍ଲାପାଳ । ସେହିପରି ସର୍ବସାଧାରଣ ସ୍ଥାନରେ ଦୋଳ ଓ ହୋଲି ହେବନି ବୋଲି ଜିଲ୍ଲାପାଳ କହିଛନ୍ତି । ଏହାସହ ବାହାରେ ଥିବା ଲୋକଙ୍କୁ ଦଣ୍ଡ ନାଚ କି ଯାତ୍ରା ପାଇଁ ଡାକନ୍ତୁ ନାହିଁ ବୋଲି ଗଞ୍ଜାମରେ ଥିବା ଲୋକଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ।

ବର୍ତ୍ତମାନ ଗୁଜୁରାଟରେ କରୋନା ସ୍ଥିତି ସାଂଘାତିକ ହୋଇଛି । ଗୁଜୁରାଟର ସୁରାଟରେ ଲକଡାଉନ ମଧ୍ୟ ହୋଇଛି । ଲକଡାଉନ ଫଳରେ ପ୍ରବାସୀମାନେ ରାଜ୍ୟକୁ ଫେରିବାର ସମ୍ଭାବନା ରହିଛି । ଯଦି ପ୍ରବାସୀ ଫେରନ୍ତି ତେବେ ପୁଣି ସଂକ୍ରମଣ ବଢିପାରେ । ତେବେ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି ।