ଅଧିକ ସଂଖ୍ୟାରେ ସଂକ୍ରମଣ ପାଇଁ ଗଞ୍ଜାମକୁ ନେଇ ଦେଶରେ ଚର୍ଚା । ଜାତୀୟ ଗଣମାଧ୍ୟମରେ ରିପୋର୍ଟ, ନିର୍ଦ୍ଦିଷ୍ଟ ବର୍ଗରେ ସବୁଠୁ ଆଗରେ ଗଞ୍ଜାମରେ ସଂକ୍ରମଣ

569

କନକ ବ୍ୟୁରୋ : ଗତ ଏକ ସପ୍ତାହର ସଂକ୍ରମଣକୁ ଆଧାର କରି ଓଡିଶାର ସଂକ୍ରମଣ ହାର, ଜାତୀୟ ହାରକୁ ଟପି ଯାଇଛି ବୋଲି ଆଜି ଜାତୀୟ ଗଣମାଧ୍ୟମ ଗୁଡିକ ରିପୋର୍ଟ ପ୍ରକାଶ କରିଛନ୍ତି । ସେପଟେ ଏକ ନିର୍ଦ୍ଧିଷ୍ଟ ସହର ବର୍ଗରେ ଗଂଜାମ, ଦେଶରେ ସବୁଠୁ ଆଗରେ ରହିଛି । ଏହି ରିପୋର୍ଟରେ କୁହାଯାଇଛି, ବହୁ ସଂଖ୍ୟାରେ ଦାଦନ ଶ୍ରମିକ ଜିଲ୍ଲାକୁ ଫେରିବା ପରେ ସଂକ୍ରମଣ ସଂଖ୍ୟା ବଢିଯାଇଛି ।

ଓଡିଶାରେ କରୋନା ଗ୍ରାଫ୍ ଉପରମୁହାଁ । ଜାତୀୟ ହାର ଠାରୁ ଆଗରେ ଓଡିଶା । ଗତ ସପ୍ତାହକରେ ଓଡିଶାରେ ପ୍ରାୟ ୪ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହେବା ଘଟଣା ଓଡିଶାର ସଂକ୍ରମଣ ହାରକୁ ଜାତୀୟ ହାର ଠାରୁ ବି ଆଗକୁ ନେଇଯାଇଛି । ଦେଶରେ କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଆସାମକୁ ଛାଡିଦେଲେ ରାଜ୍ୟରେ ସଂକ୍ରମଣ ହାର ସବୁଠୁ ଆଗରେ ରହିଛି ବୋଲି ଜାତୀୟ ଗଣମାଧ୍ୟମ ଗୁଡିକ ରିପୋର୍ଟ କରୁଛନ୍ତି ।

ଗତ ସପ୍ତାହକରେ ଓଡିଶାରେ କରୋନା ବୃଦ୍ଧି ହାର ୫.୭୧ । ଦେଶରେ ଗତ ସପ୍ତାହକରେ ବୃଦ୍ଧି ହାର ୩.୪୫ । ହଠାତ୍ ଓଡିଶାର କରୋନା ଗ୍ରାଫ୍ ଏପରି ଉପରମୁହାଁ ହୋଇଯାଇଛି । ଓଡିଶା ପାଇଁ ଚିନ୍ତା ବଢାଇଛନ୍ତି ମୁଖ୍ୟତଃ ୩ଟି ଜିଲ୍ଲା । ଗଞ୍ଜାମ, ଖୋର୍ଧା ଏବଂ ଯାଜପୁର । ଏହି ତିନି ଜିଲ୍ଲାକୁ ତାଲାବନ୍ଦ କଟକଣା କୋହଳ ପରେ ସବୁଠାରୁ ଅଧିକ ଫେରିଛନ୍ତି ପ୍ରବାସୀ । ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି ଗଂଜାମରେ ୩ ହଜାର ୪ ଶହ ଆକ୍ରାନ୍ତ ହୋଇଥିବା ବେଳେ ଦେଶର ନନ୍ ମେଟ୍ରୋ, ନନ୍ ଟାୟାର ୧ ଏବଂ ଟାୟାର ୨ ସିଟି ଭାବରେ ଏହି ଜିଲ୍ଲା ସଂକ୍ରମଣରେ ସାରା ଦେଶରେ ଆଗରେ ରହିଛି । ଅର୍ଥାତ୍ ଛୋଟ ସହର ହୋଇଥିଲେ ମଧ୍ୟ ଗଂଜାମରେ ଅଧିକ ବଢୁଛି ସଂକ୍ରମଣ । ତେବେ ଭୁବନେଶ୍ୱର, କଟକ, ପୁରୀ ଏବଂ ସଂବଲପୁର ବଡ ସହର ହୋଇଥିଲେ ଏଠାରେ କିନ୍ତୁ ସଂକ୍ରମଣ ହାର କମ୍ ରହିଛି ।

ଭୁବନେଶ୍ୱର-କଟକରେ ସପ୍ତାହକରେ ୯୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ରାଜ୍ୟର ମୋଟ୍ ଆକ୍ରାନ୍ତ ସଂଖ୍ୟାର ୧୦ ପ୍ରତିଶତରୁ ବି କମ୍ । ଯଦି ଆମେ ସାରା ଦେଶକୁ ଦେଖିବା ତେବେ ଏହାର ପ୍ରମୁଖ ସହର ବା ରାଜଧାନୀ ଗୁଡିକରେ କିନ୍ତୁ ସଂକ୍ରମଣ ହାର ଅଧିକ । ଓଡିଶାରେ ଭୁବନେଶ୍ୱର ଠାରୁ ଆଗରେ ଅଛନ୍ତି ଗଂଜାମ, ଯାଜପୁର ।

ଗତ ଗୁରୁବାର ଦେଶରେ ପ୍ରଥମ ଥର ପାଇଁ ୨୫ ହଜାର ଅତିକ୍ରମ କରିଥିଲା ଆକ୍ରାନ୍ତ ସଂଖ୍ୟା । ଏହାକୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୭ ଲକ୍ଷ ୫୩ ହଜାରରେ ପହଁଚିଗଲାଣି । ଗୁରୁବାର କର୍ଣ୍ଣାଟକରେ ଚିହ୍ନଟ ହୋଇଛନ୍ତି ୨୨୨୮ ଆକ୍ରାନ୍ତ । ଗୋଟିଏ ଦିନରେ ଏହା କର୍ଣ୍ଣାଟକ ପାଇଁ ସର୍ବାଧିକ । ତେଲେଙ୍ଗାନାରେ ୧୪୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଗୋଟିଏ ଦିନରେ । ଆନ୍ଧ୍ରପ୍ରଦେଶ ପରେ କର୍ଣ୍ଣାଟକ ଓ ତେଲେଙ୍ଗାନା ଦୁଇ ରାଜ୍ୟରେ କରୋନା ଅତି ଦ୍ରୁତ ବେଗରେ କାୟା ବିସ୍ତାର କରୁଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଓଡିଶାରେ ସଂକ୍ରମଣ ହାର ୫.୭୧ ରହିବା ସବୁଠାରୁ ଚିନ୍ତାଜନକ । ଏହା ହିଁ ସ୍ପଷ୍ଟ କରୁଛି ଆଗକୁ କରୋନା ମୁକାବିଲାରେ ରାଜ୍ୟ ପାଇଁ ଆସିପାରେ କଠୋର ସମୟ ।