ଗଂଜାମ ବଡଗଡରେ ଦଳିତ ମହିଳାଙ୍କ ଉପରେ ଚାଲିଥିଲା ଅମାନୁଷିକ ଅତ୍ୟାଚାର : ଚରିତ୍ରକୁ ସନ୍ଦେହ କରି ଦଉଡ଼ିରେ ବାନ୍ଧି ଚପଲ ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇଥିଲେ ଗାଁଲୋକ

ଭିଡିଓ ଭାଇରାଲ ପରେ ୭ ଗିରଫ

139

କନକ ବ୍ୟୁରୋ : ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନବେଳେ, ଜଣେ ମହିଳାଙ୍କ ପ୍ରତି କିଭଳି ଅତ୍ୟାଚାର କରାଯାଇଛି ତାର, ଲଜ୍ଜାଜନକ ଚିତ୍ର ସାମ୍ନାକୁ ଆସିଛି । ଗଂଜାମ ଜିଲ୍ଲା ବଡ଼ଗଡ଼ ଥାନା କାଳିଆପଲ୍ଲୀ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ସବୁ ସୀମା ଟପିଯାଇଛି ଏହି ଅମାନୁଷିକ ନିର୍ଯାତନା । ଗାଁ ଦାଣ୍ଡରେ ପ୍ରେମୀ ଯୁଗଳଙ୍କୁ ଚପଲ ମାଳ ପିନ୍ଧାଇ ଦଉଡ଼ିରେ ବାନ୍ଧି ଗାଁ ଦାଣ୍ଡରେ ବୁଲାଇଛନ୍ତି ଗ୍ରାମବାସୀ ।

ଗାଁର ଜଣେ ବିବାହିତା ମହିଳାଙ୍କ ୪ ବର୍ଷର ପୁଅର ଦେହ ଖରାପ ଥିବାରୁ ସରାବାଡ଼ି ଗାଁର ବାବୁଲା ବେହରାଙ୍କୁ ଔଷଧ ନେଇ ଆସିବାକୁ କହିଥିଲେ । ହେଲେ ଦୁହିଁଙ୍କ ଭିତରେ ଅନୈତିକ ସଂପର୍କ ଥିବା ଅଭିଯୋଗ କରି, ଗାଁରେ ବାବୁଲା ପହଂଚିବା ପରେ ଲୋକେ ଉଭୟଙ୍କୁ ବାନ୍ଧି ଗାଁ ଦାଣ୍ଡରେ ଚପଲ ମାଳ ପିନ୍ଧାଇ ବୁଲାଇଥିଲେ । ଖବର ପାଇ ବଡ଼ଗଡ଼ ପୋଲିସ ଘଟଣାସ୍ଥଳରେ ପହଁଚି ଉଭୟଙ୍କୁ ଉଦ୍ଧାର କରିଥିଲା । ଏଥିସହ ଘଟଣାରେ ସଂପୃକ୍ତ ଥିବା ୭ ଜଣ ଗାଁ ଲୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛିି ।

ଗତ ୮ ତାରିଖ ସେହି ଭିଡିଓ ଏବେ ଭାଇରାଲ ହେଉଛି । ଅନ୍ତର୍ଜାତୀୟ ମହିଳା ଦିବସରେ ଯେତେବେଳେ ମହିଳାଙ୍କ ସମ୍ମାନ ପାଇଁ ବିଶ୍ୱବ୍ୟାପୀ କାର୍ଯ୍ୟକ୍ରମମାନ ହାତକୁ ନିଆଯାଉଛି, ଠିକ ସେତିକି ବେଳେ ଜଣେ ଦଳିତ ମହିଳାଙ୍କ ପ୍ରତି ଗାଁ ଲୋକଙ୍କ ଏଭଳି ନିର୍ଯାତନା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ପୁଲିସ୍ ଆଜି ସୁବାଷ ମଲ୍ଲିକ୍, ବଦ୍ରି ମଲ୍ଲିକ୍, ସାଇବ ମଲ୍ଲିକ୍ ଏବଂ ସରାବାଡ଼ି ଗ୍ରାମର କଂଗ୍ରେସ ଛଟେଇ, ବାହାନ ସ୍ବାଇଁ, ମୁନା ସ୍ବାଇଁ ଓ ସୁନୀଲ ସ୍ବାଇଁକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି । ଏହି ସମ୍ବେଦନଶୀଳ ଘଟଣାକୁ ଆସିକା ଏସ୍ଡ଼ିପିଓ ସୂର୍ଯ୍ୟମଣୀ ପ୍ରଧାନ ତଦନ୍ତ କରୁଥିବା ଜଣାପଡିଛି ।

Comments are closed.