କନକ ବ୍ୟୁରୋ : ମାତ୍ର ୧୯ବର୍ଷ ବୟସରେ ଗଂଜାମ ପୁଲିସରେ କନଷ୍ଟେବଳ ଭାବେ ନିଯୁକ୍ତି ପାଇଥିଲେ ସୁଶାନ୍ତ ଗୌଡ । ସେତେବେଳେ ଏସପିଙ୍କ ସୁରକ୍ଷା ଦାୟିତ୍ୱ ତୁଲାଉଥିଲେ । ଗସମା ଜଙ୍ଗଲରେ ନକ୍ସଲଙ୍କ କ୍ୟାମ୍ପ ଚାଲିଥିବା ଖବର ପାଇ ତତକାଳୀନ ଗଞ୍ଜାମ ଏସପି ନିତିନଜୀତ୍ ସିଂଙ୍କ ନେତୃତ୍ୱରେ ୨୦୦୮ ଫେବୃଆରୀ ୧୫ ତାରିଖରେ କୁମ୍ବିଂ ଅପରେସନ ହୋଇଥିଲା । ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଦୀର୍ଘ ସମୟର ଲଢେଇରେ ସହିଦ ହୋଇଥିଲେ ସୁଶାନ୍ତ । ଆଜି ବି ସେଦିନର କଥା ମନେ ପକାଇ ବାକ୍ୟଶୂନ୍ୟ ହୋଇପଡନ୍ତି ପରିବାର ଲୋକ । ତଥାପି କୋହଭରା କଂଠରେ ବାପା କୁହନ୍ତି ସହୀଦ୍ ବୀରପୁତ୍ର ପାଇଁ ସେ ଗର୍ବିତ ।
ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣପତି ନଗରରେ ରହନ୍ତି ସୁଶାନ୍ତଙ୍କ ପରିବାର । ବାପା ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ । ପ୍ରତିବର୍ଷ ସହିଦଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଉଛି । ହେଲେ ସୁଶାନ୍ତ ସହୀଦ୍ ହେବାର ୧୬ବର୍ଷ ବିତିବାକୁ ଗଲାଣି, ଜାଗା ଖଣ୍ଡିଏ ପାଇଁ ସରକାରଙ୍କ ପକ୍ଷରୁ ମିଳିଥିବା ପ୍ରତିଶ୍ରୁତି ପୁରଣ ହୋଇପାରିଲା ନାହିଁ । ପ୍ରଶାସନ ନିକଟକୁ ଦୌଡି ଦୌଡି ନୟାନ୍ତ ହେଲେଣି ପରିବାର ଲୋକେ । ପୋଲିସ ବିଭାଗ ପକ୍ଷରୁ ସମସ୍ତ ଉଦ୍ୟମ ଜାରୀ ରହିଥିଲେ ବି ରାଜସ୍ୱ ବିଭାଗର ଅବହେଳାକୁ ଦାୟି କରିବା ସହ ଏହା ସହିଦଙ୍କ ପାଇଁ ଅସମ୍ମାନ ବୋଲି କହନ୍ତି ସହରବାସୀ ।
ମାତ୍ର ୨୫ବର୍ଷ ବୟସରେ କିଛି ସ୍ୱପ୍ନ ଦେଖିବା ପୂର୍ବରୁ ଦେଶ ପାଇଁ ସହିଦ୍ ହୋଇଗଲେ ସୁଶାନ୍ତ । ଏବେ ସରକାର ଦେଇଥିବା ପ୍ରତିଶ୍ରୁତିକୁ ଜିଲ୍ଲା ପ୍ରଶାସନ ପୁରଣ କଲେ ସୁଶାନ୍ତଙ୍କ ପରିବାର ପ୍ରତି ସାନ୍ୱାନା ହୋଇପାରିବ ।
Follow Us