ଆଜି ପ୍ରବଳ ବର୍ଷିବ, ଶୁକ୍ରବାର ଥମିବ । ଗଞ୍ଜାମ, ଗଜପତି, ପୁରୀ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା

4,112

କନକ ବ୍ୟୁରୋ : ବର୍ଷା ପାଇଁ ସ୍କୁଲ ଛୁଟି । ଲଗାଣ ବର୍ଷା ପାଇଁ ପୁରୀର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ପୁରୀରେ ଗତକାଲି ଠାରୁ ବର୍ଷା ଲାଗିରହିଥିବା ବେଳେ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।

ଏହାପୂର୍ବରୁ ଗଞ୍ଜାମ ଓ ଗଜପତିରେ ମଧ୍ୟ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା । ତେବେ ସ୍କୁଲ ଛୁଟି ହୋଇଥିଲେ ମଧ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ସ୍କୁଲରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକସ୍ଥଳେ ସ୍କୁଲ ଗୁଡିକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବାକୁ ଥିବାରୁ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ସ୍କୁଲରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲିଠୁ ପ୍ରବଳ ବର୍ଷା ହେଉଛି । ଦକ୍ଷିଣ ଓଡିଶା, ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶାରେ ବର୍ଷା ଯୋଗୁଁ ସ୍ୱାଭାବିକ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଗତକାଲିଠାରୁ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । କଟକ ଓ ଭୁବନେଶ୍ୱରରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ସର୍ବାଧିକ ୧୨୬ ମିଲିମିଟର ଓ କଟକରେ ୧୦୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ବାଲେଶ୍ୱରରେ ୬୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ଆଂଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି ।

ରାଜଧାନୀ ଭୁବନେଶ୍ୱରରେ ଗତ କାଲିଠାରୁ ତୁହାକୁ ତୁହା ବର୍ଷା ହେଉଛି । ଆଜି ସକାଳୁ ଭୁବନେଶ୍ୱର ଓ ଏହାର ଉପକଣ୍ଠ ଅଂଚଳରେ ପ୍ରବଳ ବର୍ଷା ହେଉଛି । ରାସ୍ତା ଉପରେ ବର୍ଷା ପାଣି ଜମିଥିବାରୁ ଯାତାୟତ ପ୍ରଭାବିତ ହେବା ସହ ଟ୍ରାଫିକ ସମସ୍ୟା ଦେଖାଦେଇଛି । ଭୁବନେଶ୍ୱରର ତଳିଆ ଅଂଚଳରେ ବର୍ଷା ପାଣି ପଶିଥିବାରୁ ଲୋକେ ହଇରାଣ ହେଉଛନ୍ତି । ସେହିପରି ବାଲେଶ୍ୱରରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ୧୩ଟି ଜିଲ୍ଲାରେ ଘଡ ଘଡି ଓ ବିଜୁଳି ମାରିବା ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି । କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଗଂଜାମ, ବାଲେଶ୍ୱର, ବଲାଙ୍ଗିର, ବରଗଡ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, କେନ୍ଦୁଝର ଓ ଗଜପତି ଜିଲ୍ଲାରେ ବର୍ଷା ପାଇଁ ସତର୍କ ସୂଚନା ରହିଛି ।

Comments are closed.