ଲଙ୍କା ବୁହାଇଲା ଲୁହ ! ଚାଷୀଙ୍କୁ ଦାଉ ସାଜିଛି ଅଭାବି ବିକ୍ରି

38

କନକ ବ୍ୟୁରୋ : ଚାଷୀ ସମସ୍ୟା ନେଇ ବିଧାନସଭା ହେଉଛି ହୁଲୁସ୍ତୁଲ । ସରକାର ଏବଂ ବିରୋଧୀ ଚାଷୀଙ୍କୁ ନେଇ ବଡ ବଡ ଭାଷଣ ମାରୁଛନ୍ତି । ହେଲେ ଚାଷୀଙ୍କ ଅସଲ ଅବସ୍ଥା କ’ଣ, ତାର ଏକ ଝଲକ ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲାରେ । ଯେଉଁଠି ଚାଷୀ ଅଭାବି ବିକ୍ରିର ପ୍ରତିବାଦରେ ଶହ ଶହ ବସ୍ତା କଂଚା ଲଙ୍କା ରାସ୍ତାରେ ଢ଼ାଳିଛନ୍ତି । ବିଲାତିବାଇଗଣ ପରେ ଏବେ ସାମ୍ନାକୁ ଆସିଛି କଂଚା ଲଙ୍କାର ଖବର ।

ମାଧପୁର ଅଂଚଳରେ ଚଳିତବର୍ଷ ପ୍ରାୟ ଶହେ ଏକର ଜମିରେ ୨ଶହରୁ ଅଧିକ ଚାଷୀ ଲଙ୍କା ଚାଷ କରିଛନ୍ତି । ପ୍ରତିଦିନ ଅମଳ ହେଉଛି ପ୍ରାୟ ୫ଶହ ବସ୍ତା ଲଙ୍କା । ଏକର ପିଛା ପ୍ରାୟ ଏକ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ରୋଜଗାର ହେଉଛି ମାତ୍ର ୪୦ରୁ ୫୦ ହଜାର । ବଜାର ବ୍ୟବସ୍ଥା ନଥିବାରୁ କିଲୋ ପିଛା ୪ରୁ୫ ଟଙ୍କାରେ ଲଙ୍କା ବିକ୍ରି କରୁଛନ୍ତି ଚାଷୀ ।

ଗଂଜାମ ଜିଲ୍ଲାରେ କିଲୋପିଛା ୩୦ରୁ ୪୦ ଟଙ୍କାରେ ବିକ୍ରି ହେଉଛି । କଟକ-ଭୁବନେଶ୍ୱର ଭଳି ବଡ ସହରର ଖୁଚୁରା ବଜାରରେ ଲଙ୍କା କିଲୋପିଛା ବିକ୍ରି ହେଉଛି ୪୦ରୁ ୫୦ ଟଙ୍କା ।

ହେଲେ ଲଙ୍କା ଉତ୍ପାଦନ କରୁଥିବା ଗଂଜାମ ଜିଲ୍ଲାର ଚାଷୀ ପାଉଛନ୍ତି ମାତ୍ର ୪ରୁ ୫ ଟଙ୍କା । ପୂର୍ବରୁ ଆପଣମାନେ ଦେଖିଥିଲେ ବିଲାତି ଚାଷୀ ଅଭାବି ବିକ୍ରିର ପ୍ରତିବାଦ କରୁଥିଲେ । ଆଜି ସାମ୍ନାକୁ ଆସିଛି ଲଙ୍କା ଚାଷୀଙ୍କ ସମସ୍ୟା । ବିଧାନସଭାରେ ଚାଷୀଙ୍କ ସମସ୍ୟା ନେଇ ସରକାରୀ ଏବଂ ବିରୋଧୀ ଦଳ ବଡ ବଡ ଭାଷଣ ମାରୁଥିବା ବେଳେ କିନ୍ତୁ ଅସଲ ଚାଷୀ ରାଜରାସ୍ତାରେ ଠିଆ ହୋଇଛି ।