ପୁଣି ଅଲୋଡା ହେଲା ଶିଶୁ କନ୍ୟା : ନଦୀପଠା ନିକଟ ଜଙ୍ଗଲରୁ ନବଜାତକ ଶିଶୁକନ୍ୟା ଠାବ; କନ୍ୟାକୁ କୋଳେଇ ନେଲେ ଦିବ୍ୟାଙ୍ଗ ଯୁବକ

68

କନକ ବ୍ୟୁରୋ : ପୁଣି ଅଲୋଡା ହେଲା ଶିଶୁ କନ୍ୟା । ଏକ ନବଜାତ ଶିଶୁ କନ୍ୟାକୁ ନଦୀ ପଠାରେ ଦୟନୀୟ ଅବସ୍ଥାରେ କୈାଣସି ଅଜଣା ଲୋକ ଫିଙ୍ଗି ଦେବା ପରେ ଉଦ୍ଧାର ଘଟଣା କେନ୍ଦ୍ରାପଡା ମହାକାଳପଡାରେ ଚର୍ଚ୍ଚାର ବିଷୟ ହୋଇଛି । ଅଳାଇଲୋ ଗାଁର ରମାକାନ୍ତ ସେଠୀ ନାମକ ଜଣେ ଦିବ୍ୟାଙ୍ଗ ଯୁବକ ଗାଁ ଛକରେ ଏକ ଦୋକନ କରି ନିଜ ପରିବାର ଚଳାନ୍ତି । ରମାକାନ୍ତ ଗୋବରୀ ନଦୀ ଉପରେ ଥିବା ସେତୁ ନିକଟକୁ ଯାଇଥିବାବେଳେ ହଠାତ୍ ନଦୀ ପଠାରେ ଥିବା ଜଙ୍ଗଲ ମଧ୍ୟରୁ ଜଣେ ଶିଶୁର କାନ୍ଦ ଶୁଣିଥିଲେ ।

ପାଖକୁ ଯାଇ ଦେଖନ୍ତି ତ ଜଣେ ନବଜାତ ଶିଶୁ କନ୍ୟାକୁ କେହି ଜଣେ ଫିଙ୍ଗି ଦେଇଯାଇଛି । ଶିଶୁଟି ଦୟନୀୟ ଅବସ୍ଥାରେ ପଡିଥିବାର ଦେଖି ନିକଟରେ ଥିବା ଜଣେ ବ୍ୟକ୍ତିଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ପରେ ଶୁଶୁଟିକୁ ଉଦ୍ଧାର କରି ରମାକାନ୍ତ ନିଜ ଘରକୁ ନେଇଯାଇଥିଲେ । ଖବରପାଇ ଜିଲ୍ଲା ସିଡବ୍ଲୁସି କମିଟିର ଟିମ୍ ଏବଂ ମହାକାଳପଡା ଥାନାର ପୋଲିସ ରମାକାନ୍ତଙ୍କ ଘରେ ପହଁଚିବା ପରେ ଶିଶୁ କନ୍ୟାକୁ ହସ୍ତାନ୍ତର କରାଯାଇଥିଲା । ସି ଡବ୍ଲୁ ସି ଶିଶୁକୁ ନିଜ ହେପାଜତରେ ନେବା ସହିତ ସିକିତ୍ସା ମଧ୍ୟ କରାଇଛନ୍ତି । ଦୁନିଆକୁ ଭଲ ଭାବରେ ଦେଖିନଥିବା ଜଣେ କେମଳମତି ନବଜାତ ଶିଶୁକୁ ଏପରି ଭାବରେ ଫିଙ୍ଗି ଦେବା ଘଟଣାକୁ ସ୍ଥାନୀୟ ଲୋକ ନିନ୍ଦା କରିଛନ୍ତି ।