ଖଲ୍ଲିକୋଟ ବଡରାମପଲ୍ଲୀ ଗାଁରେ ବିଭତ୍ସ ହତ୍ୟା : ୨ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ଫେରାର ହୋଇଗଲେ ଦୁର୍ବୃତ୍ତ; ଜଣେ ମୃତ, ଜଣେ ଗୁରୁତର

253

କନକ ବ୍ୟୁରୋ : ଗଞ୍ଜାମ ଖଲ୍ଲିକୋଟ ବ୍ଲକ ବଡରାମପଲ୍ଲୀ ଗାଁ ନିକଟରେ ଦୁର୍ବୃତ୍ତଙ୍କ ଆକ୍ରମଣ । ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତ ଯୁବକ ଜଣକ ହେଉଛନ୍ତି କୋମଣ୍ଡ ଗାଁର କେ ପଦ୍ମରେଡି । ସେହିପରି ଗୁରୁତର ଯୁବକ ଜଣଙ୍କ ଗୁଡିଝର ଗାଁର ନୃସିଂହ ନାଥ ପଣ୍ଡା ।

ସୂଚନା ମୁତାବକ ଦୁହେଁ ଶନିବାର ରାତି ସାଢେ ୧୦ଟା ବେଳେ ଅଟୋ ଯୋଗେ ପୁରୁଷୋତମପୁରରୁ ନିଜ ଗାଁ ଅଭିମୁଖେ ଆସୁଥିବା ବେଳେ ହଠାତ୍ କିଛି ଦୁର୍ବୃତ୍ତ ତାଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇ ଯାଇଛନ୍ତି । ଦୁହେଁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡି ରହିଥିବା ବେଳେ ସେମାନଙ୍କୁ ସ୍ଥାନୀୟ ଲୋକେ ହସ୍ପିଟାଲ ନେଇଥିଲେ । ତେବେ ହସ୍ପିଟାଲରେ ଡାକ୍ତର ପଦ୍ମରେଡିଙ୍କୁ ମୃତ ଘୋଷଣା କରିଛନ୍ତି ।

ସେହିପରି ଅନ୍ୟ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେପଟେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ମୃତ ଯୁବକ କେ. ପଦ୍ମରେଡି ଜଣେ ଠିକାଦାର ହୋଇଥିବାରୁ ଠିକାକାମକୁ ନେଇ ହତ୍ୟାକାଣ୍ଡ ଘଟିଥାଏ ପାରେ ବୋଲି ସନ୍ଦେହ କରୁଛି ପୋଲିସ ।