ବ୍ଲକ ଅଧ୍ୟକ୍ଷାଙ୍କୁ ଭୋଟ ନ ଦେବାରୁ ସମିତି ସଭ୍ୟାଙ୍କୁ ବାସନ୍ଦ ଦଣ୍ଡ : ଗାଁରେ କଙ୍ଗାରୁ କୋର୍ଟ ବସାଇ ସାଢ଼େ ୪ ଲକ୍ଷ ଟଙ୍କା ଜରିମାନା କରିଥିବା ଅଭିଯୋଗ

185

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଞ୍ଚଳରେ ପୁଣି କଙ୍ଗାରୁ କୋର୍ଟ ବସି ଗାଁରୁ ବାସନ୍ଦ ଅଭିଯୋଗ ହୋଇଛି । ସୁବଳୟା ପଞ୍ଚାୟତ ବି. ବାହାଡାପଲ୍ଲୀର ସମିତି ସଭ୍ୟା ମାମି ଦାସ ଏଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି । ତାଙ୍କ କହିବା ହେଲା ବ୍ଲକ ଅଧ୍ୟକ୍ଷାଙ୍କୁ ଭୋଟ ନଦେବାରୁ ତାଙ୍କ ପରିବାରକୁ ସାଢେ ୪ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା । ଏପରିକି ଟଙ୍କା ନଦେଲେ ଗାଁରୁ ବାସନ୍ଦ କରାଯିବା ବୋଲି ଗ୍ରାମବାସୀ ଜଣାଇ ଦେଇଛନ୍ତି । ପରିବାରର ଏକ ଶୁଦ୍ଧି କାମରେ ଯୋଗଦେବାକୁ ମଧ୍ୟ ବାରଣ କରିଛନ୍ତି ଗାଁ ଲୋକ ।

ଗାଁରେ କଙ୍ଗାରୁ କୋର୍ଟ ବସି ନିଆଯାଇଥିବା ଏସବୁ ନିଷ୍ପତ୍ତି ବାବଦରେ ଗଞ୍ଜାମ ଏସପିଙ୍କୁ ଜଣାଇଛନ୍ତି ମାମି । ଏପରିକି ଗାଁ ଲୋକଙ୍କ ଏଭଳି ନିର୍ଯାତନା ସହିନପାରି ପରିବାର ସହ ଆତ୍ମାହୁତି ଦେବେ ବୋଲି କହିଛନ୍ତି ମାମି ଦାସ । ସାଢେ ୪ଲକ୍ଷ ଟଙ୍କା ଜରିମାନା ପକାଇବା ପାଇଁ ଗାଁର କିଛି ନେତୃସ୍ଥାନୀୟ ବ୍ୟକ୍ତି ଗ୍ରାମବାସୀଙ୍କ ଉପରେ ଚାପ ପକାଉଥିବା କହିଛନ୍ତି ମାମି । ନିର୍ବାଚନ ପରେ ସମିତି ସଭ୍ୟା ଗାଁରୁ ଚାଲିଯାଇଥିବାରୁ ତାଙ୍କୁ ଖୋଜିବା ପାଇଁ ବ୍ୟବହୃତ ଗାଡି ଖର୍ଚ୍ଚ ବାବଦକୁ ଏହି ଟଙ୍କା ଆଦାୟ କରାଯିବ ବୋଲି ଗ୍ରାମବାସୀଙ୍କ ଉପରେ ଚାପ ପକାଯାଉଛି ।

ସୁବଳୟା ପଞ୍ଚାୟତରୁ ସମିତି ସଭ୍ୟା ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ ମାମି ଦାସ । ହେଲେ ନାଟକୀୟ ଢଙ୍ଗରେ ସେ କୁଆଡେ ନିଖୋଜ ହୋଇଯାଇଥିଲେ । ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ ତାଙ୍କୁ ଅପହରଣ କରିନେଇଥିବା ରମ୍ଭା ଥାନାରେ ଅଭିଯୋଗ କରିଥିଲେ ମାମିଙ୍କ ମାଆ । ଯାହାକୁ ଆଧାର କରି ପ୍ରଶାନ୍ତଙ୍କ ବିରୋଧରେ ମାମଲା ହୋଇଥିଲା ଏବଂ ହାଇକୋର୍ଟରୁ ସେ ଆଗୁଆ ଜାମିନ ଆଣିଥିଲେ । ପରବର୍ତ୍ତୀ ସମୟରେ ମାମି ସାମ୍ନାକୁ ଆସିବା ସହ ତାଙ୍କୁ କେହି ଅପହରଣ କରିନଥିବା ସ୍ପଷ୍ଟ କରିଥିଲେ । ନିର୍ବାଚନ ପୂର୍ବରୁ ରାଜନୈତିକ ଚାପରୁ ବର୍ତ୍ତିବା ପାଇଁ ସେ ବାହାରକୁ ଚାଲି ଯାଇଥିବା କହିଥିଲେ ।