ଗଞ୍ଜାମରେ କରୋନା ସ୍ଥିତି ବଢାଇଲା ଚିନ୍ତା: ଖୋର୍ଦ୍ଧା-ଗଞ୍ଜାମ ସୀମା ସିଲ୍; ଗଞ୍ଜାମରୁ ଭୁବନେଶ୍ୱର ଯିବାକୁ ଲୋକଙ୍କୁ ମନା

ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ବଡ ମେଡିକାଲର ଓପିଡି ବି ବନ୍ଦ । ସହଯୋଗ ପାଇଁ ଅପିଲ କଲେ ଜିଲ୍ଲାପାଳ

1,658

କନକ ବ୍ୟୁରୋ: ଗଂଜାମ ଓ ଖୋର୍ଧା ଜିଲ୍ଲାର ସୀମା ସିଲ୍ । ଟୁଇଟ୍ କରି ସୂଚନା ଦେଇଛନ୍ତି ଗଂଜାମ ଜିଲାପାଳ । ଗଂଜାମ ଜିଲ୍ଲାରେ କରୋନା ସଂକ୍ରମଣକୁ ନଜରରେ ରଖି ଜିଲ୍ଲା ସୀମା ସିଲ୍ କରିବାକୁ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏନେଇ ସମସ୍ତ ଜିଲ୍ଲାବାସୀଙ୍କୁ ସହ ଯୋଗ କରିବାକୁ ନିବେଦନ କରାଯାଇଛି । ଏହି ସମୟରେ କେହି ଗଂଜାମ ଜିଲ୍ଲାରୁ ବାହାରକୁ ଯାଇପାରିବେ ନାହିଁ କିଂବା କେହି ବାହାର ଜିଲ୍ଲାରୁ ଗଂଜାମକୁ ଆସିପାରିବେ ନାହିଁ । କୌଣସି ଲୋକଙ୍କୁ ଗଂଜାମରୁ ଭୁବନେଶ୍ୱରକୁ ଆସିବାକୁ ଅନୁମତି ଦିଆଯିବ ନାହିଁ ବୋଲି କୁହାଯାଇଛି ।

ସେପଟେ, ବନ୍ଦ ହେଲା ବ୍ରହ୍ମପୁର ଏମକେସିଜି ଡାକ୍ତରଖାନା ଓପିଡି । ଏବେ କେବଳ ଜରୁରୀ କାଳୀନ ରୋଗୀଙ୍କୁ ମିଳିବ ଚିକିତ୍ସା ସୁବିଧା । ରୋଗୀଙ୍କ ନିକଟରେ ରହିବେ କେବଳ ଜଣେ ମାତ୍ର ଲୋକ । ଏମକେସିଜି ଡାକ୍ତରଖାନାକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ ରହିବ କଡା ନଜର । କେବଳ ଗୋଟିଏ ଗେଟ୍ ଖୋଲାଯିବ । ସେହି ଗେଟ୍ ଦେଇ ସମସ୍ତେ ପ୍ରବେଶ ଓ ପ୍ରସ୍ଥାନ କରିବେ । ପୁରା ବ୍ୟବସ୍ଥାର ତଦାରଖ କରିବେ ଏମକେସିଜି ସୁପରିଟେଣ୍ଡେଂଟ୍ ।

ଗଂଜାମ ଜିଲ୍ଲାରେ କରୋନା ଭୂତାଣୁ ସଂକ୍ରମଣର ଭୟାବହତାକୁ ନଜରରେ ରଖି ଏପରି ପଦ କ୍ଷେପ ନିଆଯାଇଥିବା କୁହାଯାଇଛି । ସେପଟେ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରହ୍ମପୁରରେ ଆରମ୍ଭ ହୋଇଛି ଡୋର ଟୁ ଡୋର ସ୍କ୍ରିନିଂ । ୨୦୦ ଟି ଟିମ୍ ଜରିଆରେ ସହରରେ ହେବ ସ୍ୱାସ୍ଥ୍ୟ ଯାଂଚ । ୯ରୁ ୧୩ ତାରିଖ ଯାଏଁ ଗଂଜାମ ଜିଲ୍ଲାରେ ସବୁ ସହର ସଟଡାଉନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

Comments are closed.