ଗଞ୍ଜାମ ଖଲ୍ଲିକୋଟ ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ଼ । ଟିକା ନେବା ପାଇଁ ରାତି ୧୨ଟାରୁ ଲାଗୁଛି ଲମ୍ବା ଲାଇନ 

76

କନକ ବ୍ୟୁରୋ: ଗଞ୍ଜାମ ଖଲ୍ଲିକୋଟରେ ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ଼ । ଟିକା ନେବା ପାଇଁ ରାତି ୧୨ଟାରୁ ଧାଡ଼ିରେ ଛିଡ଼ା ହେଉଛନ୍ତି ଶତାଧିକ ପୁରୁଷ-ମହିଳା । ଦିନରେ ଟିକା ପାଇବାକୁ ରାତି ସାରା ଲୋକ ହେଉଛନ୍ତି ରାତି ଅନିଦ୍ରା । ସେହିପରି ଭଂଜନଗରରେ ମଧ୍ୟ ଦେଖିବାକୁ ମିଳିଛି ଟିକା କେନ୍ଦ୍ର ବାହାରେ ଶହ ଶହ ଲୋକଙ୍କ ଭିଡ । ଆଉ ଲୋକଙ୍କ ଭିଡକୁ ଦେଖି ଡାକ୍ତରଖାନା କର୍ତ୍ତୃପକ୍ଷ ଟିକାକରଣ ବନ୍ଦ କରି ପୋଲିସକୁ ଡାକିବାକୁ ବାଧ୍ୟ ହୋଇଥିଲେ ।

କରୋନା ଟିକା ନେବା ପାଇଁ ଏମିତି ବି ଲୋକ ଡାକ୍ତରଖାନା ବାହାରେ ଅପେକ୍ଷା କରୁଥିବେ, କହିଲେ କେହି ହୁଏତ ବିଶ୍ୱାସ କରିବେନି । ହେଲେ ସାରା ରାତି ଟିକାକରଣ କେନ୍ଦ୍ର ଆଗରେ ଧାଡିରେ ରହୁଛନ୍ତି ଲୋକେ ।

ଖଲ୍ଲୋକୋଟର କଲ୍ୟାଣୀ ମଣ୍ଡପ ଓ ଏସ୍ଏମ୍ ହାଇସ୍କୁଲରେ ଚାଲିଥିବା ଟିକା କେନ୍ଦ୍ରରେ ଟିକି ଡୋଜ୍ ଟିଏ ପାଇବାକୁ ଅନ୍ଧାର ରାତିରେ ଏମିତି ଅପେକ୍ଷା କରୁଛନ୍ତି ଶତାଧିକ ପୁରୁଷ ମହିଳା ।  ଖଲ୍ଲିକୋଟରେ ଏବେ ୩ଟି ଟିକା କେନ୍ଦ୍ରରେ ଟିକାକରଣ ଜାରି ରହିଛି । ଆଉ ୧୮ରୁ ୪୪ ବର୍ଷର ଯୁବପୀଢି ଟିକା ନେବା ପାଇଁ ଏଭଳି ଗହଳି ଲଗାଉଛନ୍ତି । ଖଲ୍ଲିକୋଟରେ ପଂଚାୟତ ସ୍ତରରେ ଟିକା କେନ୍ଦ୍ର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଖୋର୍ଦ୍ଧା ଅଂଚଳରୁ ବହୁ ଲୋକ ଖଲ୍ଲିକୋଟକୁ ଟିକା ନେବା ପାଇଁ ଆସୁଛନ୍ତି । ରାତିରୁ ଶହ ଶହ ମହିଳା ଓ ପୁରୁଷଧାଡି ବାନ୍ଧି ସକାଳ ଯାଏଁ ଛିଡା ହେଉଛନ୍ତି ।

ଲୋକ ଏବେ କରୋନା ଟିକା ନେବାକୁ ସଚେତନ ହୋଇଛନ୍ତି । ଟିକା ନେବା ପାଇଁ ସେମାନଙ୍କ ମନରେ ଆଗ୍ରହ ବଢିଛି । ହେଲେ ଟିକା ପାଇବାକୁ ରାତି ଅଧିଆ ଅନିଦ୍ରା ରହିବା , ଟିକାକରଣ ପ୍ରକ୍ରିୟାର ବ୍ୟବସ୍ଥା ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

ଖଲ୍ଲିକୋଟରେ ଟିକା ପାଇଁ ରାତିରେ ଭିଡର ଦୃଶ୍ୟ ଦେଖିଥିଲେ । ଏ ହେଉଛି ଗଞ୍ଜାମ ଜିଲ୍ଲା ଭଂଜନଗର ବ୍ଳକ ବାହାଡ଼ାପଦର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଦୃଶ୍ୟ । ଟିକାକରଣ ପାଇଁ ଲୋକଙ୍କ ନାହିଁ ନଥିବା ଭିଡ଼ । ଡାକ୍ତରଖାନାରେ ରହିଛି ମାତ୍ର ୩୮୦ ଡୋଜ୍ । ଅନଲାଇନରେ ୩୦୦ ସ୍ଲଟ୍ ବୁକ୍ ହୋଇଛି । ୮୦ ଡୋଜ୍ ଅନସ୍ପଟ୍ ଦିଆଯିବ । ହେଲେ ଭିଡରେ ଏତେ ଲୋକ ଆସିଛନ୍ତି ଯେ କାହାକୁ ଟିକା ଦେବେ ଅଡୁଆରେ ପଡିଛନ୍ତି ଡାକ୍ତରଖାନା କର୍ତୃପକ୍ଷ । ବାଧ୍ୟ ହୋଇ ଡାକ୍ତରଖାନା କର୍ତୃପକ୍ଷ ପୋଲିସକୁ ଜଣାଇଛନ୍ତି ।

ଲୋକମାନେ କରୋନା ଟିକା ପାଇଁ ଏଭଳି ଦାବି କରିବା ଭିତରେ ସାମାଜିକ ଦୂରତା କଥା ପୁରା ଭୁଲି ଯାଇଛନ୍ତି । ଧାଡି କେଉଁଟା ବି ଖୋଜି ପାଇବା କଷ୍ଟକର । ସକାଳୁ ଆସି ଡାକ୍ତରଖାନା ଆଗରେ ଅପେକ୍ଷା କରିଥିବା ଲୋକ କିନ୍ତୁ ଟିକା ପାଇଁ ଜିଦ୍ କରିଥିଲେ । ସରକାର ଅନସ୍ପଷ୍ଟ୍ ଟିକାକରଣ ପାଇଁ ଘୋଷଣା କରିଥିବାରୁ , ଡାକ୍ତରଖାନାକୁ ଆସିଥିବା ସମସ୍ତ ଲୋକ ଟିକା ଦେବାକୁ ଲୋକ ଦାବି କରିଥିଲେ ।