କନକ ବ୍ୟୁରୋ: ଗଂଜାମ ଚିକିଟ ଅଂଚଳରେ ଦେଶୀ ମଦ ପିଇ ୨୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି । ଚିକିଟ ଅଂଚଳରେ ବେଆଇନ ଦେଶୀ ମଦ କାରବାର ବଢୁଥିଲେ ବି ଅବକାରୀ ବିଭାଗ ଓପୁଲିସ ଚୁପ ବସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Advertisment

ଡାକ୍ତରଖାନା ବେଡରେ ପଡିଥିବା ଏହି ଲୋକ କୌଣସି ରୋଗରେ ଆକ୍ରାନ୍ତ ହୋଇନାହାନ୍ତି । ବରଂ ବିଷାକ୍ତ ମଦ ପିଇ ଡାକ୍ତରଖାନାରେ ଛଟ ପଟ ହେଉଛନ୍ତି । ଚିକିଟିର ଜେନାପୁର ଓ କରବାଲୁଆ ଗାଁରେ ବିଷାକ୍ତ ମଦ ପିଇ ୨୦ରୁ ଅଧିକ ଲୋକ ଏବେ ବ୍ରହ୍ମପୁରର ବଡ ମେଡିକାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଶସ୍ତାରେ ମଦ ପିଇ ଏଭଳି ଦଶା ଭୋଗିଛନ୍ତି ଲୋକେ । ଦେଶୀ ମଦ ପିଇବା ପରେ ଝାଡାବାନ୍ତି ସହ ମୁଣ୍ଡ ବୁଲାଇବା ଓ ପେଟରେ ପ୍ରବଳ ଯନ୍ତ୍ରଣା କାରଣରୁ ସମସ୍ତେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ସୋମୱାର ରାତିରେ ପୁଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରି ୪ ଜଣଙ୍କୁ ଗିରଫ କରିଛି । ଏହାପରେ ଚିକିଟର ଜେନାପୁର ଓ କରବାଲୁଆ ଗାଁରେ ଆଜି ସକାଳେ ପଂହଚିଥିଲା କନକ ନ୍ୟୁଜ ଟିମ । ଗାଁ ଶୂନଶାନ ହେବା ସହ ରାତିଅଧିଆ ଚଢାଉ ଯୋଗୁଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

-୩୦ ବର୍ଷ ହେଲା ଚିକିଟିରେ ଅପମିଶ୍ରିତ ମଦ କାରବାର ଚାଲିଛି
-ଦେଶୀ ରନ୍ଧା ମଦରେ ରାସାୟନିକ ସାମଗ୍ରୀ ମିଶାଯାଉଥିବା ଅଭିଯୋଗ
-ବିପୁଳ ପରିମାଣର ବେଆଇନ ମଦ ପ୍ରସ୍ତୁତ ହେଉଛି
-ଦେଶୀ ମଦ ପୋଡା ବ୍ୟାଟେରୀ ଗୁଣ୍ଡ ମିଶାଯାଉଥିବା ଅଭିଯୋଗ
ଏହାସତ୍ବେ ସ୍ଥାନୀୟ ଅଂଚଳରେ ଅବକାରୀ ବିଭାଗ ଖାଲି ଲୋକଦେଖାଣିଆ ଭାବେ ଚଢାଉ କରୁଛି । ଏବେ ବିଷାକ୍ତ ମଦ ପିଇ ଲୋକେ ଅସୁସ୍ଥ ହେବା ପରେ ତତ୍ପର ହୋଇଛି ପ୍ରଶାସନ ।
ଗଂଜାମ ଜିଲ୍ଲାକୁ ଦେଶୀମଦ କାରବାରର ହବ ବୋଲି କୁହାଯାଏ । ଆଉ କାଲିର ଘଟଣା ପରେ ଅବକାରୀ ଓ ପୁଲିସ ମିଳିତ ଚଢାଉ କରି ୨ ହଜାର ଲିଟର ପୋଚ ଓ ଅପମିଶ୍ରିତ ଦେଶୀ ମଦ ଜବତ କରିଛି ।