ଗଞ୍ଜାମରେ କମୁଛି କରୋନା ସଂକ୍ରମଣ । ବିକଶିତ ହେଉଛି କି ହର୍ଡ ଇମ୍ୟୁନିଟି? ଡାକ୍ତର କହିଲେ, ଲକଡାଉନ୍ ପାଇଁ କମିଛି ସଂକ୍ରମଣ, ପୁଣି ବଢିପାରେ ସଂଖ୍ୟା ।

1,434

କନକ ବ୍ୟୁରୋ : କରୋନା ସଂକ୍ରମଣରେ ରାଜ୍ୟର ଶୀର୍ଷରେ ଥିବା ଗଂଜାମ ଜିଲ୍ଲାରେ ଗତ ୬ ଦିନ ହେଲା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ହ୍ରାସ ପାଉଥିବା ସଂକ୍ରମଣକୁ ଦେଖି ପ୍ରଶ୍ନ ଉଠୁଛି ଯେ, ଗଂଜାମରେ ବିକଶିତ ହେଉଛି କି ହର୍ଡ ଇମ୍ୟୁନିଟି ବା ସମୂହ ପ୍ରତିରୋଧକ ଶକ୍ତି । ତେବେ ବରିଷ୍ଠ ମେଡିସିନ୍ ସ୍ପେଶାଲିଷ୍ଟ ଡାକ୍ତର ନିରୋଜ ମିଶ୍ରଙ୍କ କହିବା କଥା ହେଉଛି, ଲକଡାଉନ୍ ଯୋଗୁଁ ଜିଲ୍ଲାରେ ସଂକ୍ରମଣ ନିୟନ୍ତ୍ରଣକୁ ଆସିଛି, ଲକଡାଉନ୍ ଖୋଲିଲେ ପୁଣି ସଂଖ୍ୟା ବଢିଯାଇପାରେ । ସେପଟେ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି, ଆସନ୍ତା ୭ ଦିନ ଗଂଜାମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।

ଗଞ୍ଜାମ
ଜୁଲାଇ ୨୪        ୭୩୨
ଜୁଲାଇ ୨୫        ୫୬୦
ଜୁଲାଇ ୨୬        ୪୮୪
ଜୁଲାଇ ୨୭        ୪୯୧
ଜୁଲାଇ ୨୮        ୩୩୨
ଜୁଲାଇ ୨୯        ୨୪୫

ରାଜ୍ୟରେ ସଂକ୍ରମଣର ଶୀର୍ଷରେ ଥିବା ଗଂଜାମ ଜିଲ୍ଲାର ଚିତ୍ର ବଦଳୁଛି । ଗତ ୭ ଦିନର କରୋନା ଗ୍ରାଫ କହୁଛି ଯେ, ଜିଲ୍ଲାରେ ହ୍ରାସ ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଜୁଲାଇ ୨୪ରେ ୭ ଶହରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହାର ୫ ଦିନ ପରେ ସଂଖ୍ୟା ପହଁଚିଛି ୨୪୫ରେ । ଧିରେ ଧିରେ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି ।

ଗଞ୍ଜାମରେ ହ୍ରାସ ପାଉଛି ସଂକ୍ରମଣ । ବିକଶିତ ହେଉଛି କି ହର୍ଡ ଇମ୍ୟୁନିଟି ? ଡାକ୍ତର ନିରୋଜ ମିଶ୍ରଙ୍କ କହିବା କଥା ହେଉଛି, ଯଦି ଲକଡାଉନ୍ ପାଇଁ ଗଂଜାମରେ ସଂକ୍ରମଣ ହ୍ରାସ ପାଇଛି ତେବେ ଲକଡାଉନ୍ ଖୋଲିବା ପରେ ସଂଖ୍ୟା ପୁଣି ବଢିଯିବ । ହର୍ଡ ଇମ୍ୟୁନିଟି ବା ସମୂହ ପ୍ରତିରୋଧ ଶକ୍ତି ପାଇଁ ୬୦ରୁ ୭୦ ପ୍ରତିଶତ ସଂକ୍ରମିତ ହେବା ଦରକାର ।

ଗଞ୍ଜାମ : ଆକ୍ରାନ୍ତ- ୯୭୪୬, ମୃତ- ୮୬ । ସାରା ରାଜ୍ୟରେ ଯେତିକି ସଂକ୍ରମିତ ହୋଇଛନ୍ତି ସେଥିରୁ ୩୪ ପ୍ରତିଶତ ହେଉଛନ୍ତି ଗଂଜାମର । ଜିଲ୍ଲାର ମୃତ୍ୟୁ ହାର ହେଉଛି ପାଖାପାଖି ୫୫ ପ୍ରତିଶତ । ବିଶେଷଜ୍ଞ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି, ସଂକ୍ରମଣ ଶୀର୍ଷ ସ୍ତରକୁ ଯିବା ପରେ ନିୟନ୍ତ୍ରଣକୁ ଆସେ ଏବଂ ତାପରେ ଧିରେ ଧିରେ କମେ । ତେଣୁ ଆସନ୍ତା ୭ ଦିନ ଗୁରୁତ୍ୱପୂର୍ଣ୍ଣ ।

ପ୍ରକୃତରେ ଗଂଜାମରେ ହର୍ଡ ଇମ୍ୟୁନିଟି ବା ସମୂହ ପ୍ରତିରୋଧ ଶକ୍ତି ବଢିଛି କି ନାହିଁ ତାହା ସେରୋ ସର୍ଭେରେ ଜଣାପଡିବ । ଗତ କିଛି ଦିନ ହେଲା ସଂଖ୍ୟା କମିବା ପରେ ଆଂଚଳିକ ଭେଷଜ ଗବେଷଣା କେନ୍ଦ୍ର ବା ଆରଏମଆରସି ଅନୁଭବ କରୁଛି ଯେ, ଏବେ ଗଂଜାମରେ ସେରୋ ସର୍ଭେ କରିବା ଦରକାର । ଏହି ସେରୋ ସର୍ଭେ ପରେ ହୁଏତ ଜଣାପଡିବ ଯେ, ଗଂଜାମରେ ସମୂହ ପ୍ରତିରୋଧ ଶକ୍ତି ବଢିଛି ନା ଲକଡାଉନ୍ ପାଇଁ ସାମୟିକ ଭାବେ ସଂକ୍ରମଣ ନିୟନ୍ତ୍ରଣକୁ ଆସିଛି ।