ଅଳିଆଗଦାରେ ପଡିଛି କରୋନା ଯୋଦ୍ଧାଙ୍କ ମୃତଦେହ: ଗଞ୍ଜାମ ସାନଖେମୁଣ୍ଡିରେ ମଶାଣୀକୁ ଯିବାକୁ ମିଳିଲା ନାହିଁ ବନ୍ଧୁବାନ୍ଧବଙ୍କ ଚାରି କାନ୍ଧ: ଘରକୁ ଛାଡିଲେନି ଲୋକେ

ଅନ୍ତିମ ସଂସ୍କାର ସଂସ୍କାର କଲା ପ୍ରଶାସନ

905

କନକ ବ୍ୟୁରୋ: କରୋନା ମାରିଦେଲା ମାନବିକତା । ଅଳିଆଗଦାରେ ପଡିଛି କରୋନା ଯୋଦ୍ଧାଙ୍କ ମୃତ ଦେହ । ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ଶ୍ରୀରାମନଗର ଶ୍ମଶାନରେ । ମୃତ ମହିଳା ଜଣକ କୋଙ୍କରୋଡା ପଂଚାୟତରେ କରୋନା କାର୍ଯ୍ୟରେ ନିୟୋଜିତ ଅଙ୍ଗନୱାଡି ସୁପରଭାଇଜର। ମୃତ୍ୟୁ ପରେ ତାଙ୍କ ମୃତଦେହକୁ ମିଳିନାହିଁ ମାନବୀୟ ସମ୍ମାନ । ମୃତଦେହର ଅନ୍ତିମ ସଂସ୍କାର ପାଇଁ କେହି ଆସିଲେ ନାହିଁ । ମଶାଣୀକୁ ଯିବାକୁ ମିଳିଲା ନାହିଁ ବନ୍ଧୁବାନ୍ଧବଙ୍କ ଚାରି କାନ୍ଧ । ଏପରିକି ଘରକୁ ମଧ୍ୟ ମୃତଦେହ ନେବାକୁ ଦେଲେନାହିଁ ସଂପର୍କୀୟ ସାହିବାସୀ । ଏକାକି ମାଆର ମୃତଦେହ ପାଖରେ ବସି ବାହୁନି ବାହୁନି କାନ୍ଦୁଥିଲା ଝିଅ । କରୋନା ଯୋଦ୍ଧାଙ୍କୁ ସମ୍ମାନ ତ ଦୂରର କଥା ଜୁଇ ପାଇଁ କାଠ, କୋକେଇ ପାଇଁ କାନ୍ଧ ମଧ୍ୟ ମିଳିଲା ନାହିଁ ।

ଏହି ହୃଦୟ ବିଦାରକ ଦୃଶ୍ୟ ଦେଖିଲେ ଲାଗୁଥିଲା କରୋନା ଭୟ ଲୋକଙ୍କ ମାନବିକତାକୁ ମାରି ଦେଇଛି । କରୋନା ମହାମାରୀର ସଙ୍ଗୀନ ପରିସ୍ଥିତିରେ ଅଦୃଶ୍ୟ ଭୂତାଣୁ ବିରୋଧରେ ଲଢେଇ କରୁ କରୁ ପ୍ରାଣ ହରାଇଛନ୍ତି । ଦେହ ଅସୁସ୍ଥ ହେବାରୁ ଏକ ଅଟୋରେ ଡାକ୍ତରଖାନା ଯାଉଥିବା ବାଟରେ ପ୍ରାଣ ବାୟୁ ଉଡି ଯାଇଥିଲା । ଝିଅ ମୃତଦେହକୁ ସାହିକୁ ନେବାକୁ ଚାହିଁବାରୁ ସଂପର୍କୀୟ ଓ ସାହିବାସୀ ମନା କରିଦେଇଥିଲେ । ଏହାପରେ ଯାଉଥିବା ଅଟୋ ମୃତଦେହକୁ ନେଇ ଶ୍ରୀରାମନଗର ଶ୍ମଶାନ ପାଖରେ ନେଇ ଫୋପାଡି ଦେଇ ଚାଲିଯାଇଥିଲା । ଏହାପରେ ଦୀର୍ଘ ସମୟ ଧରି ମୃତଦେହ ଶ୍ମଶାନ ନିକଟରେ ପଡିରହିଥିବା ଖବର ପାଇ ପ୍ରଶାସନ ଘଟଣାସ୍ଥଳରେ ପହଂଚି ଶେଷକୃତ୍ୟ କରିଛି ।