କୃଷକ ସାଜିଲେ କଲେକ୍ଟର: ବିଲକୁ ଗଲେ, ଧାନ ରୋଇଲେ ଗଞ୍ଜାମ ଜିଲ୍ଲାପାଳ

ସରକାରୀ ଯୋଜନାର ଲାଭ ଚାଷୀମାନେ ପାଉଛନ୍ତି କି ନାହିଁ ? ବିହନ ଠିକ ସମୟରେ ମିଳୁଛି କି ନାହିଁ ? କାଳିଆ ଯୋଜନାରେ ଉକ୍ତ ଚାଷୀମାନେ ଟଙ୍କା ପାଇଛନ୍ତି କି ନାହିଁ ? ଆଉ ଫସଲ ବୀମା ମିଳୁଛି ନା ନାହିଁ ? ବୋଲି ଚାଷୀଙ୍କୁ ପଚାରି ବୁଝିଥିଲେ ଜିଲ୍ଲାପାଳ

489

କନକ ବ୍ୟୁରୋ: କୃଷକ ସାଜିଲେ କଲେକ୍ଟର । ବିଲକୁ ଗଲେ ଧାନ ରୋଇଲେ । ପାଣି କାଦୁଅ ଭରା ଜମିରେ ଧାନ ତଳି ରୋଇଲେ ଜିଲ୍ଲାପାଳ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଧାନ ତଳି ରୋପଣ କରୁଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ ହେବା ପରେ ବେଶ ଚର୍ଚ୍ଚାରେ ରହିଛନ୍ତି ବିଜୟ ।

ତେବେ ସୂଚନା ମୁତାକବ ଗଞ୍ଜାମ ଜିଲ୍ଲାପାଳ ଆଜି ମଥୁରା ପଞ୍ଚାୟତର ବେଗୁନିଆପଡା ଗାଁକୁ ଅଭିଯୋଗ ଶୁଣାଣି ପାଇଁ ଯାଇଥିଲେ । ସେଠାରୁ ଫେରିବା ବେଳେ ବିଲରେ କିଛି ଚାଷୀ ଧାନ ତଳି ରୋଉଥିବାର ଜିଲ୍ଲାପାଳ ଦେଇଥିଲେ । ତେବେ ଚାଷ ପ୍ରତି ଆଗ୍ରହ ଥିବାରୁ ସେ ଗାଡିକୁ ଅଟକାଇ ରାସ୍ତା କଡରେ ଥିବା କାଦୁଅ ବିଲକୁ ପଶିଥିଲେ । ପିନ୍ଧିଥିବା ସଫାସୁତୁରା ପୋଷାକକୁ ଟେକି ସିଧା କାଦୁଅ ବିଲକୁ ପଶିଥିଲେ କଲେକ୍ଟର ।

କୃଷକଙ୍କ ଠାରୁ କେମିତି ବିଲରେ ଧାଡି ଧାଡି କରି ଧାନ ରୋପଣ ହେଉଛି ପଚାରି ବୁଝିବା ପରେ ନିଜେ ଧାନ ଗଛ ରୋପଣ କରିଥିଲେ । ବିଲରେ ଚାଷ କରି ଜିଲ୍ଲାପାଳ ଖୁସି ହୋଇଥିବା ବେଳେ ବିଲ ମଝିରେ ଚାଷୀଙ୍କ ସହ ମନ ଭରି କଥା ହୋଇଥିଲେ । ଧାଡି ରୁଆ ଚାଷୀମାନେ କେଉଁଠୁ ଶିଖିଲେ ବୋଲି ମଧ୍ୟ ପଚାରି ବୁଝିଥିଲେ ଜିଲ୍ଲାପାଳ ବିଜୟ ଅମୃତ ।

ସରକାରୀ ଯୋଜନାର ଲାଭ ଚାଷୀମାନେ ପାଉଛନ୍ତି କି ନାହିଁ ? ବିହନ ଠିକ ସମୟରେ ମିଳୁଛି କି ନାହିଁ ? କାଳିଆ ଯୋଜନାରେ ଉକ୍ତ ଚାଷୀମାନେ ଟଙ୍କା ପାଇଛନ୍ତି କି ନାହିଁ ? ଆଉ ଫସଲ ବୀମା ମିଳୁଛି ନା ନାହିଁ ? ବୋଲି ଚାଷୀଙ୍କୁ ପଚାରି ବୁଝିଥିଲେ ଜିଲ୍ଲାପାଳ । କାଦୁଅ ବିଲରେ କଲେକ୍ଟରଙ୍କ ଏ ନିଆରା ଅନ୍ଦାଜ ଆଉ ଚାଷ ପ୍ରତି ନିଜସ୍ୱ ଆଗ୍ରହ ଦେଖି ଜିଲ୍ଲାପାଳଙ୍କୁ ସମସ୍ତେ ବାଃ ବାଃ କହିବା ସହ କଲେକ୍ଟର ହେବ ତ ଏମିତି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।

ତେବେ ପଞ୍ଚମ ପାଳିରେ ନବୀନ ସରକାର ଆସିବା ପରେ ସବୁ ସରକାରୀ ଅଫିସରଙ୍କୁ ଆକ୍ଟିଭ ମୋଡକୁ ଆଣିଛନ୍ତି । ଲୋକଙ୍କ ପାଖକୁ ଯାଇ, ଲୋକଙ୍କ ସମସ୍ୟା ବୁଝି, ସେମାନଙ୍କ ସମସ୍ୟା ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ସରକାରୀ କର୍ମଚାରୀ ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ‘ମୋ ଭାଗ୍ୟ ଲୋକମାନେ ଲେଖୁଛନ୍ତି ଆଉ ମୁଁ ଆପଣଙ୍କ ଭାଗ୍ୟ ଲେଖୁଛି’ ବୋଲି ନବୀନ ସବୁ ଅଫିସରଙ୍କୁ କହିଥିଲେ । ଆଉ ତାପର ଠାରୁ ସମସ୍ତ ଅଫିସର ଲୋକଙ୍କ ସମସ୍ୟାର ସାମାଧାନ କରିବାକୁ ଅଣ୍ଟା ଭିଡିଛନ୍ତି । ତେବେ ଗଞ୍ଜାମ ଜିଲ୍ଲାପାଳ ଲୋକଙ୍କ ପାଖକୁ ଯାଇ, ତାଙ୍କ ସହ ମନଖୋଲା କଥା ହୋଇ ସେମାନଙ୍କ ସମସ୍ୟା ଜାଣିବାର ଏ ନିଆରା ଅନ୍ଦାଜକୁ ଚାରିଆଡୁ ପ୍ରଶଂସା କରାଯାଇଛି ।