ସ୍ୱାସ୍ଥ୍ୟ ବିଭାଗର ଚିଠି ପରେ ନିୟମ କଡାକଡି କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ । ବଜାର, ଧର୍ମାନୁଷ୍ଠାନ ଉପରେ ସ୍ୱତନ୍ତ୍ର ନଜର । 

558

କନକ ବ୍ୟୁରୋ: ଓଡିଶା ସୀମାନ୍ତ କିଛି ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାବେଳେ ଏହାକୁ ଦେଖି ଏବେ ସତର୍କ ହେଉଛି ଓଡିଶା । ଗତକାଲି ସ୍ୱାସ୍ଥ୍ୟ ବିଭାଗର ଚିଠି ପରେ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଚିଠି ଲେଖି ତାଙ୍କ ଜିଲ୍ଲାରେ କୋଭିଡ୍ ଗାଇଡଲାଇନ୍ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସବୁ ସ୍ଥାନରେ ମାସ୍କ ଓ ସାମାଜିକ ଦୂରତା ପାଳନ କରିବାକୁ ସେ ଚିଠି ଲେଖିଛନ୍ତି ।

ବିଶେଷକରି ମାର୍କେଟ ଓ ଧର୍ମାନୁଷ୍ଠାନ ଅଞ୍ଚଳରେ ଏବେ ଗହଳି ଦେଖିବାକୁ ମିଳୁଛି । ତେଣୁ ଏହି ସ୍ଥାନରେ ଯେପରି ସଠିକ୍ ଭାବେ କୋଭିଡ୍ ଗାଇଡଲାଇନ୍ ପାଳନ ହେବ ସେନେଇ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସର୍ବସାଧାରଣ ସ୍ଥାନ ଓ ଅଫିସରେ ମାସ୍କ, ସାନିଟାଇଜେସନ ଓ ସାମାଜିକ ଦୂରତା ପାଳନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ପ୍ରତି ବ୍ଲକରେ ତହସିଲଦାର, ବିଡିଓ ଓ ଥାନା ଆଇଆଇସି କୋଭିଡ୍ ନିୟମ କଡାକଡି କରିବା ସହିତ ମାସ୍କ ଚେକିଂ କରିବାକୁ କୁହାଯାଇଛି । ଏହାସହ ଯଦି କେହି ଲୋକ ସଂକ୍ରମିତ ଚିହ୍ନଟ ହୁଅନ୍ତି ତେବେ ତୁରନ୍ତ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରିବେ । ଏହାସହ ଆଶା, ଅଙ୍ଗନବାଡି ଓ ଏଏନଏମ୍ ଦିଦି ମାନେ ସେମାନଙ୍କର ଅଞ୍ଚଳରେ ତୀକ୍ଷଣ ନଜର ରଖିବାକୁ ଗଞ୍ଜାମ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।ଏହାସହ ବଜାର ଅଞ୍ଚଳରେ ଦୋକାନୀ ଓ ଗ୍ରାହକମାନେ କୋଭିଡ୍ ନିୟମ ଅନୁପାଳନ ଓ ବସରେ ସାମାଜିକ ଦୂରତା ପାଳନ କରିବାକୁ ଗଞ୍ଜାମ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।