କନକ ବ୍ୟୁରୋ : ତାରାତାରିଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବର ଦ୍ୱିତୀୟ ଦିନରେ କଳସ ମୁଣ୍ଡାଇଲେ ଜିଲ୍ଲାପାଳ । କଳସ ମୁଣ୍ଡାଇ ଶୋଭାଯାତ୍ରାରେ ଆସି ମନ୍ଦିରରେ ପହଂଚିଥିଲେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । କଳସ ଶୋଭାଯାତ୍ରା ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିବା ପରେ ହୋମଯଜ୍ଞ ଓ ନାମଯଜ୍ଞ ଜାରି ରହିଛି । ଏବଂ ପାହାଡ ପାଦ ଦେଶରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଆସନ୍ତା ୧୮ ତାରିଖରେ ଏହି ଉତ୍ସବରେ ସାମିଲ ହେବା ପାଇଁ ତାରାତାରିଣୀ ପୀଠକୁ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Advertisment

ସବୁ ପୂଜାରେ ପ୍ରଥମେ ଶୁଭ କଳସ ବସିଥାଏ । ଏଥିପାଇଁ ନଦୀ ବା ପୁଷ୍କରିଣୀରୁ ଜଳ ସଂଗ୍ରହ କରାଯାଏ । ପୁରୋହିତଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ କଳସ ଶୋଭାଯାତ୍ରା ପୂଜା ସ୍ଥଳକୁ ଆସିଥାଏ । ଯାହା ଏବେ ତାରାତାରିଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ କରାଯାଉଛି । ଆଉ ଦେଖନ୍ତୁ ଏହି ଦୃଶ୍ୟକୁ, ନଦୀ କୂଳରେ ପୂଜାର୍ଚ୍ଚନା କରୁଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ପୂଜାର୍ଚ୍ଚନା ସରିବା ପରେ କଳସ ମୁଣ୍ଡାଇ ଶୋଭାଯାତ୍ରାରେ କରିଛନ୍ତି ଜିଲ୍ଲାପାଳ ।

ଗଂଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତାରାତାରିଣୀ ପୀଠର ପ୍ରତିଷ୍ଠା ଉତ୍ସବର ଦ୍ୱିତୀୟ ଦିନରେ ନଦୀ ପଠାରୁ କଳସ ଶୋଭାଯାତ୍ରା ବାହାରିଥିଲା । ଶତାଧିକ ମହିଳା ପୁରୁଷ ମୁଣ୍ଡରେ କଳସ ଧରି ମା’ଙ୍କ ପୀଠରେ ପହଂଚିଥିଲେ । ଏମାନଙ୍କ ସହ ସାମିଲ ହୋଇଥିଲେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।  କଳସ ଶୋଭାଯାତ୍ରା ମନ୍ଦିରରେ ପହଂଚିବା ପରେ ଆରମ୍ଭ ହୋଇଯାଇଛି ହୋମଯଜ୍ଞ । ଶହ ଶହ ଶ୍ରଦ୍ଧାଳୁ ଏକାଠି ହେବା ଫଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।