କନକ ବ୍ୟୁରୋ : ଫେସବୁକ ଲାଇଭରେ ଅଭିଯୋଗ, ଟ୍ୱିଟରରେ ଉତ୍ତର । ହସ୍ପିଟାଲରେ ରୋଗୀଙ୍କୁ ଅକ୍ସିଜେନ ମିଳୁନଥିବା ନେଇ ସୋସିଆଲ ମିିଡିଆରେ ରୋଗୀଙ୍କ ସଂପର୍କୀୟଙ୍କ ଅଭିଯୋଗ ପରେ ଟ୍ୱିଟ୍ କରି ଉତର ରଖିଛନ୍ତି ଜିଲ୍ଲାପାଳ । ଆଜି ସକାଳୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲର କାଜୁଆଲଟିରେ ରୋଗୀଙ୍କୁ ଅକ୍ସିଜେନ ମିଳୁନଥିବା ନେଇ ରୋଗୀଙ୍କ ସଂପର୍କୀୟ ଫେସବୁକ୍ ଲାଇଭ କରି ଅଭିଯୋଗ କରିଥିଲେ । ଯୁବତୀ ଜଣଙ୍କ କହିଛନ୍ତି, ତାଙ୍କ ଭାଇଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ଅମ୍ଳଜାନର ଆବଶ୍ୟକତା ରହିଛି । ହେଲେ ଡାକ୍ତରଖାନାରେ ଅମ୍ଳଜାନ ମିଳୁନାହିଁ ।

Advertisment

ସେହି ଫେସବୁକ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପ୍ରତିକ୍ରିୟା ରଖିଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । କହିଛନ୍ତି, ଏଭଳି ସ୍ଥିତିରେ ଚିକିତ୍ସା ବ୍ୟବସ୍ଥାରେ ଥିବା ଡାକ୍ତରଙ୍କୁ ସହଯୋଗ କରନ୍ତୁ । ସେହି ବ୍ୟକ୍ତିଙ୍କ ଶରୀରରେ ଅମ୍ଳଜାନ ସ୍ଥର ଖୁବ୍ ଭଲ ରହିଛି । ଶରୀରରେ ଅକ୍ସିଜେନ୍ ସ୍ତର ୯୮ ପ୍ରତିଶତ ରହିଛି । ଏବଂ ସେହି ବ୍ୟକ୍ତିଙ୍କ ଚିକିତ୍ସା ବ୍ୟବସ୍ଥା ଉପରେ ମେଡିକାଲ ଏସଡିଏମ ନଜର ରଖିଥିବା ଜିଲ୍ଲାପାଳ ଟ୍ୱିଟ୍ କରି ଜଣାଇଛନ୍ତି । ଯାହା ଦର୍ଶାଉଛି ପ୍ରତିଟି କରୋନା ରୋଗୀଙ୍କ ଉପରେ ପ୍ରଶାସନିକ ସ୍ତରରେ ନଜର ରଖାଯାଇଛି । ଯେପରି କେହି ଅମ୍ଲଜାନ ବିନା ମୃତ୍ୟୁ ବରଣ ନ କରନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଇଛି । କାରଣ ଗତକାଲି ହୋଇଥିବା କୋଭିଡ ସମୀକ୍ଷା ବୈଠକରେ ଔଷଧ ଓ ଅକ୍ସିଜେନ ଠିକ୍ ସମୟରେ ଯୋଗାଇଦେବାକୁ ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।